ଲାଞ୍ଜିଗଡ-ଭ୍ରମଣ

 

 

 

 

 

 

 

 

 

 

ଲାଞ୍ଜିଗଡ଼-ଭ୍ରମଣ

କବିଶେଖର ଚିନ୍ତାମଣି ମହାନ୍ତି

 

କଳାହାଣ୍ଡି ପର୍ଯ୍ୟନ୍ତ ଆସି ମୋର ସାହିତ୍ୟ ସେବାରିଚିର ପୃଷ୍ଠପୋଷକ ଲାଞ୍ଜିଗଡ଼ ରାଜା ମହୋଦୟଙ୍କୁ ସାକ୍ଷାତ ନ କରି ଗଲେ ଘୋର ଅକୃତଜ୍ଞତା ହେବବୋଲି ଭାବି ମୁଁ ଭବାନୀ ପାଟଣାରୁ ତାଙ୍କୁ ମୋର ଆଗମନ ସମ୍ବାଦ ପତ୍ରଦ୍ୱାରା ଜଣାଇଥିଲି । ଫେରିବାବେଳେ ଲାଞ୍ଜିଗଡ ରୋଡ ଷ୍ଟେସନରେ ଓହ୍ଲାଇବା ପାଇଁ ପ୍ରତିପତ୍ରରେ ସେ ମୋତେ ଲେଖିଥିଲେ ଏବଂ ଷ୍ଟେସନକୁ ମୋଟର ପଠାଇବାକୁ ମଧ୍ୟ ସ୍ବୀକୃତ ହୋଇଥିଲେ । ରାତି ଦୁଇଟା ସମୟରେ ଆମ୍ଭେମାନେ ଲାଞ୍ଜିଗଡ଼ରୋଡ ଷ୍ଟେସନରେ ଓହ୍ଲାଇଲା ମାତ୍ରେ ରାଜାସାହେବଙ୍କର ଜଣେ ଫରେଷ୍ଟ ପାଇକ ଓ କେତେଜଣ କୁଲି ଆସି ଉପସ୍ଥିତ ହେଲେ । ଫରେଷ୍ଟ ପାଇକ କହିଲା, ଏ ଶୀତରେ ଅଠର ମାଇଲ ବାଟ ମୋଟରରେ ଗଲେ ଆପଣଙ୍କୁ ବଡ଼ କଷ୍ଟ ହେବ । ରାଜାସାହେବଙ୍କ ଆଦେଶନୁସାରେ ମୁଁ ଏଠାରେ ଗୋଟିଏ ଘର ଠିକ୍‌ କରି ରଖିଛି, ଆପଣ ଚାଲନ୍ତୁ ସେଠାରେ ରାତି କଟାଇବେ । ରାଜାସାହେବ କହିଅଛନ୍ତି, ସେ କାଲି ସକାଳ ୮ଟା ବେଳେ ମୋଟର ଆଣି ଆପଣଙ୍କୁ ନେଇଯିବେ । ଆମ୍ଭେମାନେ ଆସି ନିର୍ଦ୍ଧିଷ୍ଟଘରେ ପହଞ୍ଚିଲୁ । ସେ ଘରେ ଦୁଇଖଣ୍ଡ ଖଟିଆ ଆମ୍ଭମାନଙ୍କ ଅପେକ୍ଷାରେ ଥିଲା । ଖଣ୍ଡିଏ ମୁଁ ଅଧିକାର କଲି, ଅପର ଖଣ୍ଡିକ ସୋମନାଥର ବ୍ୟବହାରରେ ଲାଗିଲା । ଚାକରଟି ରେଜେଇଖଣ୍ଡିକରେ ବସ୍ତାବନ୍ଦହୋଇ ତଳେ ଶୋଇଲା । ପାଇକଟି ଜଳଖିଆ ବ୍ୟବସ୍ଥାରେ ଲାଗିଲା; ମାତ୍ର ମୁଁ ମନା କରିବାରୁ ନିରସ୍ତ ହେଲା । ଯଥେଷ୍ଟ ଘୋଡିହେବାଲୁଗା ଥିଲେ ମଧ୍ୟ ଦାରୁଣ ଶୀତରେ ଦେହ ଅବସନ୍ନ ହୋଇଆସିଲା । କୁଲିମାନେ କାଠ ଆଣି ଜାଳିଲେ; ମାତ୍ର ନିଆଁ ମଧ୍ୟ ଶୀତଳ ବୋଧ ହେଲା । ପାହାଡିଆ ହାଡ଼ଭଙ୍ଗା ଶୀତରେ ସ୍ୱୟଂ ଅଗ୍ନିଦେବଙ୍କର ପ୍ରଚଣ୍ଡ ତେଜ ସୁଦ୍ଧା କ୍ଲୀବତ୍ୱ ପ୍ରସ୍ତ ହୋଇଯାଇଥିଲା । ନିଦ୍ରାଦେବୀ ଶୁଭଗମନ କଲେନାହିଁ । ବୋଧ ହୁଏ ସେ ପ୍ରବଳ ଶୀତରେ ମୂର୍ଚ୍ଛିତ ହୋଇ କେଉଁ କୋଣରେ ପଡିରହିଥିଲେ, କିମ୍ବା ତାଙ୍କୁ ପାର୍ବତୀୟ ଭାଲୁତ୍ୱର ଆକ୍ରମଣ କରିଥିଲା । ଭୂଇଁରୁ ଗୋଟାଏ ବରଫବୋଳା ଥଣ୍ଡା ବାହାରିଲା ପରି ଜଣାଯାଉଥାଏ । ମୁଁ ବସି ମନେ ମନେ ଭବିଷ୍ୟତଚିତ୍ର ଅଙ୍କିତ କରି ରଙ୍ଗ ଚଢାଉଥାଏ । ମୋର ସାହିତ୍ୟ ସାଧନାରେ ପରମ ସହାୟ ରାଜା ସାହେବଙ୍କୁ ମୁଁ ଅବଧି ଦେଖି ନାହିଁ । ମୋର ଶେଷ ଜୀବନରେ ତାଙ୍କୁ ଥରେ ଦେଖି ମୋର ଚିରପୋଷିତ ଆକାଙ୍କ୍ଷାକ୍ଷା ପୂର୍ଣ୍ଣ କରିବି, ପ୍ରକୃତିର ମହାଶକ୍ତି ଉଜ୍ଜ୍ୱଳ ହିମଳାୟ ନିୟାମଗିରିର ରୁଦ୍ରସୁନ୍ଦର ମୂର୍ତ୍ତ ଅବଲୋକନ କରି ନେତ୍ର ସାର୍ଥକ କରିବି, ଏହିପରି ନାନା ସୁଖସ୍ୱପ୍ନରେ ମୁଁ ନିଜକୁ ମିଶାଇ ଦେଉଥାଏ । ମନ ଥରେ ଥରେ ଯାଇ ସଙ୍କଳ୍ପରେ ଉଭୟଙ୍କୁ ଭେଟିଆସୁଥାଏ । ଏହିପରି ଭାବରେ ରାତି ପାହି ଆସିଲା । ପାର୍ବତୀୟ ପକ୍ଷୀମାନଙ୍କର ପ୍ରଭାତୀ ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରାତଃ ସମୀରଣ ତହିଆଣି କର୍ଣ୍ଣରେ ମଧୁବୃଷ୍ଟି କରିବକୁ ଲାଗିଲା । କିମ୍ବା କାନନ ଚାଟଶାଳୀର ଚାଟମାନେ ପାଠଘୋଷାରେ ଲାଗିଲେ । ମୁଁ ପ୍ରାତଃକୃତ୍ୟ ସାରି ଟିକିଏ ଉପାସନା କଲି । ଆଜି ମୋର ପ୍ରାତଃସ୍ନାନ ବନ୍ଦ । ରାତିଯାକ ତ ଶୀତରେ ଗାଧୋଇବାକୁ ହୋଇଅଛି, ତାହା ଉପରେ ପୁଣି ଗାଧୋଇବାକୁ ଜରାଜୀର୍ଣ୍ଣ ଶରୀର ରାଜି ହେଲା ନାହିଁ । ଲାଞ୍ଜିଗଡ଼ରେ ପହୁଞ୍ଚି ଗାଧୋଇବି ବୋଲି ସ୍ଥିର କଲି । ପାଇକମାନେ ଭୋରରୁ ଉଠି ଦୁଧ ସଂଗ୍ରହ କରି ଆଣିଲେ । ତାହା ଆଉଟା ହେଲାପରେ ଉଦର ଦେବତାଙ୍କ ବାଳଭୋଗରେ ଲାଗିଲା । ଦେବତା ସନ୍ତୁଷ୍ଟ ହେଲେ । ଅଳ୍ପ ଅଳ୍ପ ଖରା ଦେଖାଗଲା । ପର୍ବତ ଚୂଡ଼ାରେ ବାଳସୂର୍ଯ୍ୟ କିରଣ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଲା । ବୃକ୍ଷଲତାମାନେ ବି ସୁବର୍ଣ୍ଣ ଅଳଙ୍କାରରେ ଝଲମଲ ଦିଶିଲେ । ସୁପ୍ତା ପାର୍ବତ୍ୟପ୍ରକୃତି ଟହଟହ ହୋଇ ହସିଉଠିଲେ । କାନନଲକ୍ଷ୍ମୀ ସେ ହାସ୍ୟରେ ନିଜର ହାସ୍ୟ ମିଶାଇଦେଲେ । ଚାରିଆଡ଼େ ନୀରବ ହାସ୍ୟର ବିସ୍ତୃତ ମହୋତ୍ସବ ମେଳା ବସିଗଲା । ମୁଁ ଖଣ୍ଡିଏ ଖଟିଆରେ ଖରା ପିଠିଆ ହୋଇ ବସି ସେ ଉତ୍ସବ ମାଧୁରୀ ଉପଭୋଗ କରିବାକୁ ଲାଗିଲି । ସେଠାରେ ସ୍ଲିପର କାଠର ମାୟାପାହାଡ଼ ସୃଷ୍ଟି ହୋଇଥାଏ । ସେ ସମସ୍ତ କାଠ ଲାଞ୍ଜିଗଡ଼ ଏବଂ କଳାହାଣ୍ଡି ବଣରୁ ଆସିଥିବାର ଶୁଣିଲି । ଏ ସ୍ଥାନ ଲାଞ୍ଜିଗଡ଼ ରାଜ୍ୟର ଅନ୍ତଗତ। ଚାରିଆଡ଼େ ପର୍ବତମାଳା ମର୍କତ ଦେଉଳ ପ୍ରାୟ ମୁଣ୍ଡଟେକି ଉଭାହୋଇଅଛନ୍ତି । ମହାକବି ଉପେନ୍ଦ୍ରଭଞ୍ଜଙ୍କ ଭାଷାର କିଞ୍ଚିତ୍‌ ପରିବର୍ତ୍ତନ କରି କହିବାକୁ ହେଲେ ତାହା ପ୍ରକୃତଲକ୍ଷ୍ମୀଙ୍କର ଇନ୍ଦ୍ରନୀଳବଳୟ । ସେହିପରି ଆଉ ପଟିଏ ବଳା ନ ଥିବାରୁ ଦେବୀ ତାହା କରମଣ୍ଡଳ କରୁ ନାହାନ୍ତି । ସ୍ଥାନଟି ଅତି ସୁନ୍ଦର, ସେଠାରେ ମୁକ୍ତ ପ୍ରକୃତିର ଅପୂର୍ବ ବୈଚିନ୍ତ୍ର୍ୟ ଅବାଧରେ ଉପଭୋଗ କରି ହୁଏ । ପର୍ବାହ୍ନ ଆଠଘଣ୍ଟା ସମୟରେ ମାନନୀୟ ରାଜା ମହୋଦୟ ମୋଟର ଘେନି ଉପସ୍ଥିତ ହେଲେ । ସେ ଯେଉଁ ବେଶରେ ଆସିଲେ ସେଥିରେ ତାଙ୍କୁ ରାଜା ବୋଲି ଚିହ୍ନିବାର ଉପାୟ ନାହିଁ । କେବଳ ଶରୀରର ରାଜଲକ୍ଷଣ ଏବଂ ନେତ୍ରର ଉଜ୍ଜ୍ୱଳ ଜ୍ୟୋତି ତାଙ୍କୁ ରାଜା ବୋଲି ଚିହ୍ନାଇ ଦେଉଥାଏ । ଲାଞ୍ଜିଗଡ଼ର ପୋଲିସ ସବ୍‌ଇନ୍‌ସ୍‌ପେକ୍‌ଟର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଦାସ ତାଙ୍କ ସଙ୍ଗରେ ଆସିଥିଲେ । ସାକ୍ଷାତ ହେଲା କ୍ଷଣି ଶିଷ୍ଟସମ୍ଭାଷଣ ଶାରୀରିକ କୁଶଳ ପ୍ରଶ୍ନ ପ୍ରକୃତିର ଆଦାନ ପ୍ରଦାନ ଯଥାରୀତି ସମ୍ପନ୍ନ ହେଲା । ଆମ୍ଭେମାନେ ଯାଇ ମୋଟରରେ ବସିଲୁଁ । ରାଜଯାନଖଣ୍ଡି ଲାଞ୍ଜିଗଡ଼ ରାଜଧାନୀ ଅଭିମୁଖରେ ଧାବିତ ହେଲା । ଖଣ୍ଡେଦୂର ପରେ ବନ ଆରମ୍ଭ ହେଲା । କ୍ରମେ ଗଭୀରରୁ ଗଭୀରତର ଜଙ୍ଗଲ ଭେଦ କରି ଯାନ ଅଗ୍ରସର ହେବାକୁ ଲାଗିଲା । ନିବିଡ଼ ଅରଣ୍ୟାନୀ, ଶିଶୁକିଶୋରବୃଦ୍ଧ ଶାଳବୃକ୍ଷ ଶ୍ରେଣୀ ବନ ପ୍ରକୃତିର ସନ୍ଧି ବୁଜିଦେଇଅଛ । ଦୁଇ ପାଖରେ ନିରନ୍ଧ୍ର କାନ୍ତାର, ମଧ୍ୟରେ ସରଳ ସୁନ୍ଦର ରାଜପଥ, ଗର୍ବ ଅହଙ୍କାର ମଧ୍ୟରେ ସୌଜନ୍ୟ ବନ୍ଦୀ ହେଲା ପ୍ରାୟ ବିଦ୍ୟମାନ । ପାର୍ବତ୍ୟ ପ୍ରଦେଶରେ ବନ୍ଧ, ସଡ଼କମାନ ପ୍ରତିବର୍ଷ ବର୍ଷା କାଳରେ ଧୋଇଯାଏ, ବର୍ଷା ପରେ ପୁନନିର୍ମିତ ହୁଏ । ଗୋଟାଏ ସ୍ଥାନ ମୋତେ ଘୁମୁଷରର ଖୋଲାପାଣ୍ଡେରୀ କଣ ପରି ଅତିଭୀଷଣ ବୋଧ ହେଲା । ଚାରିଆଡ଼େ ପର୍ବତ, ମଧ୍ୟରେ ଅରଣ୍ୟମୟ ବିସ୍ତୁତ ଖାଲ । କାନନ-କମଳାଙ୍କର ନିଭୃତ ଶୟନାଗାର ପ୍ରାୟ ଘୋର ନିସ୍ତବ୍‌ଧ । ରାଜା ମହୋଦୟ ଏବଂ ଅଛୁତି ବାବୁ ବାଟେ ବାଟେ ମୋତେ ପର୍ବତମାନ ଚିହ୍ନାଇ ଦେଉଥାଆନ୍ତି । ଦୁଇପାଖର ରଥ୍ୟାବୃକ୍ଷଶ୍ରେଣୀ ରାଜବିଜୟ କାଳୀନ ପ୍ରହରିଙ୍‌କ୍ତି ପରି ଶୋଭା ଧାରଣ କରିଥାଆନ୍ତି । ମୁଁ ରାଜା ନହୋଇ ସୁଦ୍ଧା ରାଜସୁଖ ଅନୁଭବ କରିଥାଏ । ରାଜଗହଣରେ ଥିବାରୁ ମୋର ଏ ଶୌଭାଗ୍ୟ । ପଥ ସଂସ୍କାରକ କୁଲିମାନେ ଯୁକ୍ତକର ଦଣ୍ଡବତଦ୍ୱାରା ନିଜର ଭାଗ୍ୟ ବିଧାତାଙ୍କୁ ରାଜଭକ୍ତି ଜଣାଉଥାଆନ୍ତି । ସେଥିରୁ କେତେଟା ମୋ ଆଡ଼କୁ ଛିଡିକି ଆସୁଥାଏ । କିଛି ଦୁର ପରେ ନିୟାମଗିର ଦେଖାଗଲା । ରାଜା ସାହେବ ହସ୍ତ ସଙ୍କେତଦ୍ୱାରା ତାହା ମୋତେ ଚିହ୍ନାଇଦେଲେ । ପର୍ବତଟି ରାଜପାଟହସ୍ତୀ ପରି ସଗର୍ବଠାଣିରେ ଠିଆ ହୋଇଛି । ମହାଶକ୍ତିଧର ଶିଶୁ ହିମାଳୟକୁ ମୁଁ ଦୂରରୁ ହାତଯୋଡି ନମସ୍କାର କଲି । ଆଶାକରେ ସେ ମୋର କ୍ଷୁଦ୍ର ଭକ୍ତିକଣିକାଟି ଉଦାର ହୃଦୟରେ ଗ୍ରହଣ କରିଥିବ; ଯେହେତୁ ଉଦାରତା ସମୀପରେ କ୍ଷୁଦ୍ରତାର ମହତ୍ତ୍ୱ ଅସୀମ । ୧୦ଟା ସମୟରେ ଦୁର୍ଗର ଉପକଣ୍ଠରେ ମୋଟର ଆସି ରହିଲା । ସେଠାରେ ରାଜା ସାହେବଙ୍କର ଗୋଟିଏ ବୃହତ ସୁନ୍ଦର ବଙ୍ଗଳା ଅଛି । ଆମ୍ଭମାନଙ୍କୁ ସେହିଠାରେ ଓହ୍ଲାଇଦେଇ ମୋଟର ପ୍ରସ୍ଥାନ କଲା । ମୋର ଅବସ୍ଥାନ ସକାଶେ ପୂର୍ବରୁ ସେହିସ୍ଥାନ ନିରୂପିତ ହୋଇଥିଲା । ବଙ୍ଗଳାଟି ତରୁରାଜିଶୋଭିତ ପ୍ରଶସ୍ତ ନିକାଞ୍ଚନ ସ୍ଥାନରେ ନିୟାମଗିରିର ପାଦମୂଳରେ ଶବ୍ଦ ତଳୋ ପାଦଟୀକା ପ୍ରାୟ ଅବସ୍ଥିତ । ତାହା ଯୋଗାଶ୍ରମ ପରି ନିର୍ମଳ ଏବଂ ପିବତ୍ର । ସେଠାରେ ମନ ପ୍ରସନ୍ନତାରେ ମଗ୍ନ ହୋଇଯାଏ । ତୋରଣ ଦେଶରେ ତରୁଣ ଜାମୁଗଛଗୁଡ଼ିଏ ଦ୍ୱାରରକ୍ଷୀ ସେନାପ୍ରାୟ ଦଣ୍ଡାୟମାନ । ଚାରିପାଖ ପକ୍‌କାପ୍ରାଚୀରଦ୍ୱାରା ବେଷ୍ଟିତା । ସେହି ବେଷ୍ଟନୀ ମଧ୍ୟରେ ରନ୍ଧନଗୃହ, ମୋଟରଶାଳା ଏବଂ ପାଇଖାନା ପ୍ରଭୃତି ଅଛି । ବଙ୍ଗଳାରେ ଦୁଇଟି ପ୍ରକୋଷ୍ଠ, ତାହା ଖଟ ଚୌକି ଟେବଲ ଆଲମାରୀ ପ୍ରଭୃତି ଉପଯୁକ୍ତ ଉପକରଣରେ ସଜ୍ଜିତ । ବଙ୍ଗଳା ସଂଲଗ୍ନରେ ସ୍ନାନାଗାର । ଆଗନ୍ତୁକର କୌଣସି ଅସୁବିଧା ନାହିଁ । ସମ୍ମୁଖରେ ପ୍ରଶସ୍ତ ରାଜପଥ ଏବଂ ପଶ୍ଚାଦ୍ଦେଶରେ ନିୟାମଗିରିର ପାଦମୁଳଯାଏଁ ସୁପ୍ରଶସ୍ତ ଶସ୍ୟକ୍ଷେତ୍ର ବିସ୍ତୃତ । ସେଥିରେ ଧାନ, ମୃଗ, ସୋରିଷ ପ୍ରଭୃତି ନାନା ପ୍ରକାର ଶସ୍ୟ କମଳାକୋଠଭଣ୍ଡାର ପ୍ରାୟ ପୂର୍ଣ୍ଣ ହୋଇରହିଅଛି । ମଧ୍ୟରେ ଗୋଟିଏ କ୍ଷୁଦ୍ର ଗିରି ନିର୍ଝରିଣୀ ଶିଖିଭୀତା । ନାଗୁଣୀ ପରି କୁଟିଳଗତିରେ ପ୍ରବାହିତ ହେଉଅଛି । ବୃକ୍ଷଛାୟାଚ୍ଛନ୍ନ ରାଜପଥଟି କୁଞ୍ଜଗଳିପରି ଅତିମନୋହର ଶ୍ରୀ ଧାରଣ କରିଅଛି । ସେଥିରେ ଖରା ପଡିବାର ଉପାୟ ନାହିଁ । ସୂର୍ଯ୍ୟକିରଣ ପତ୍ର ସନ୍ଧିରେ ଅତି କଷ୍ଟରେ ଗଳି ଆତ୍ମପ୍ରକାଶ କରି ସଡ଼କରେ ଛିଟବସ୍ତ୍ର ବିଛାଇଦିଏ । ଚନ୍ଦ୍ରକିରଣ ମଧ୍ୟ ରାତ୍ରରେ ବିଚିତ୍ର ମୃଗଛାଇ ଶର୍ଯ୍ୟାର ସୃଷ୍ଟି କରେ । ବଙ୍ଗଳାର ଗୋଟିଏ ପ୍ରକୋଷ୍ଠରେ ମୁଁ ଆଶ୍ରୟ ନେଲି, ଅପର ପ୍ରକୋଷ୍ଠରେ ସୋମନାଥ ରହିଲା ।

 

ଆମ୍ଭମାନଙ୍କ ପହୁଞ୍ଚିବାର ଅର୍ଦ୍ଧଘଣ୍ଟା ମଧ୍ୟରେ ରୋଷାଇ ସରଞ୍ଜାମର ବିପୁଳ ସଞ୍ଚା ,ଏବଂ ବାସନ ପ୍ରଭୃତି ଧରି ପାଚକ ଏବଂ ଚାକର ଆସି ଉପସ୍ଥିତ ହେଲେ । ସଙ୍ଗେ ସଙ୍ଗେ ପାଣି ଗରମ ହୋଇଗଲା । ଆମ୍ଭେମାନେ ସ୍ନାନ ସମାପନ କଲୁଁ । ପାଚକଟି ଖୁବ୍‌ ପ୍ରବୀଣ ଏବଂ ଶୀଘ୍ରହସ୍ତ । ସେ ଇତି ମଧ୍ୟରେ ବହୁବ୍ୟଞ୍ଜନ ସହ ଅନ୍ନପ୍ରସ୍ତୁତ କରିସାରିଥିଲା । ତିନିସକାର ମୁକ୍ତ ଶୁଭ୍ର, ସୁବାସିତ, ସରୁଅନ୍ନ, ଉପାଦେୟ ବ୍ୟଞ୍ଜନରେ ଆତାପୁରୁଷ ପରିତୃପ୍ତ ଲାଭ କଲେ । ଗତରାତିରେ ଶୋଇବାର ସୁବିଧା ହୋଇ ନାହିଁ, ଭୋଜନାନ୍ତେ ମୁଁ ଟିକିଏ ଶୋଇବାକୁ ଚେଷ୍ଟା କଲି କିନ୍ତୁ କାହିଁକି କେହଜାଣି ନିଦ୍ରାଦେବୀ ଅନୁଗ୍ରହରୁ ବଞ୍ଚିତ କଲେ । ରାତିରେ ମୁ ତାଙ୍କର ଆରାଧନା କରି ନାହିଁ, ବୋଧ ହୁଏ ସେହି କ୍ରୋଧରେ ଏ ଶାସ୍ତି ବିଧାନ କଲେ । ବଙ୍ଗଳାହତାକୁ ଲାଗି ପୋଲିସ ଷ୍ଟେସନ । ସବ୍‌ଇନ୍‌ସ୍‌ପେକ୍‌ଟର ବାବୁ ଆସି ଉପସ୍ଥିତ ହେଲେ । ବାରନ୍ଦାରେ ବସି ତାଙ୍କ ସଙ୍ଗରେ ନାନା ବିଷୟର କଥାବାର୍ତ୍ତା ଆରମ୍ଭ ହେଲା । ସେ ଜଣେ ଗଳ୍ପସାଗର, ଏ ଅଞ୍ଚଳର ସବୁକଥା ଜାଣନ୍ତି । ସନ୍ଧ୍ୟା ପୂର୍ବରୁ ସେ ବିଦାୟ ନେଲେ, ମୁଁ ଭିତରକୁ ଯାଇ ସାନ୍ଧ୍ୟୋପସନାରେ ନିଯୁକ୍ତ ହେଲି ।

 

ସୁଧର୍ମା ସଭା ଆଗରେ ନନ୍ଦନ କାନନ ପରି ବଙ୍ଗଳାର ସମ୍ମୁଖରେ ଗୋଟିଏ ସୁରମ୍ୟ ଉଦ୍ୟାନ ଅଛି । ପରଦିନ ପ୍ରଭାତରେ ସେହି ଉଦ୍ୟାନ ଦେଖିବାକୁ ଗଲି । ଉଦ୍ୟାନରେ ବିବିଧ ଫୁଲ ଏବଂ ଫଳ ବୃକ୍ଷ ସୁପ୍ରଣାଳୀରେ ରୋପିତ ହୋଇଅଛି । ଫାଟକ ପାରହୋଇ ଦେଖିଲି ଗୋଟିଏ କ୍ଷୁଦ୍ର ମଣ୍ଡପ ଉପରେ ଗୋଟିଏ ସିଂହର ମୂର୍ତ୍ତ ନିର୍ମିତ ହୋଇଅଛି । ନିର୍ମାଣ ଚାତୁରୀ ଅତିସୁନ୍ଦର । ତାହା ଠିକ୍‌ ଜୀବିତ ସିଂହ ପରି ଦେଖାଯାଉଅଛି । ପାଟଳ ବର୍ଣ୍ଣର ମସୃଣ କେଶରଗୁଚ୍ଛ ଜକଜକ ଦିଶୁଅଛି । ଉଦ୍ୟାନର ଦ୍ୱାରପାଳ ରୂପେ ହରିରାଜ ସଦର୍ପଠାଣିରେ ଠିଆ ହୋଇଅଛି । ତାହା ନିକଟରେ ଖଣ୍ଡିଏ କ୍ଷୁଦ୍ର କୃତ୍ରିମ ବନ ମଧ୍ୟରେ ଗୋଟିଏ କ୍ଷୁଦ୍ର ମଣ୍ଡପ । ତାହା ଉପରେ ଗୋଟିଏ ମହାବଳ ବାଘ ଶିକାର ଠାଣିରେ ଲୁଚିରହିଅଛି । ଏପରି କଳ୍ପନାଟି ସ୍ୱାଭାବିକ ପରି ହୋଇ ଅଛି । ହଠାତ୍‌ ଦୃଷ୍ଟିରେ କୃତ୍ରିମ ବୋଲି ବାରିହେଉ ନାହିଁ । ଉଦ୍ୟାନ ମଧ୍ୟରେ ଅନେକେ କିଆରି, ପ୍ରତ୍ୟେକ କିଆରିରେ ପୁଷ୍ପ ବୃକ୍ଷ ଧାଡି ଧାଡି ହୋଇ ରୋପିତ ହୋଇଅଛି । ମଧ୍ୟ ସ୍ଥଳରେ ଗୋଟିଏ ଗୋଟିଏ ସୁନ୍ଦର ମଣ୍ଡପ ନିର୍ମିତ ହୋଇଅଛି । ଉଦ୍ୟାନ ମଧ୍ୟରେ ଜାଲ ବିଛାହେଲାପରି ମନୋହର ପଥ ରହିଅଛି । ଶ୍ୱେତ, ରକ୍ତ, ପାଟଳବର୍ଣ୍ଣର ଗୋଲାପଗଛରେ ଅପର୍ଯ୍ୟାପ୍ତ ଫୁଲ ଫୁଟିଅଛି । ସେଥିରୁ ଶିଶିରକଣିକା ଝରିପଡ଼ୁଅଛି ପହଞ୍ଚିଲୁ-। ସତେ ଯେପରି ଗୋଲାପ ସୁନ୍ଦରୀର ମଧୁର ହାସରୁ ମଧୁ ଝରିପଡ଼ୁଅଛି । କାବ୍ୟରସିକ ରାଜା ମହୋଦୟ ଖଣ୍ଡିଏ କାବ୍ୟପରି ଉଦ୍ୟାନଟି ରଚନା କରିଅଛନ୍ତି । କିଆରିଗୁଡ଼ିକ ସେ କାବ୍ୟର ସର୍ଗ, ପଥଛନ୍ଦ ବୃକ୍ଷପନ୍ତି କବିତା, ଉଦ୍ୟାନସ୍ଥ ବାମ୍ପି ରସ, ମଣ୍ଡପ ଯତି, ଫୁଲ ଅଳଙ୍କାର, ସୌରଭ ଭାବ, ଏକ ପଙ୍‌କ୍ତି ମଧ୍ୟରେ ଏକ ଜାତୀୟ ବୃକ୍ଷ ବାରମ୍ବାର ରୋପିତ ହୋଇଅଛି, ସେଗୁଡ଼ିକ ଅନୁପ୍ରାସ, ରୋପଣ ପ୍ରଣାଳୀ ଏପରି କୌଶଳରେ ହେଇଅଛି ଯେ, ସେଥିରେ ଆଦିଯମକ, ଯୋଡିଯମକ, ମାଳଯମକ ପ୍ରାନ୍ତ ଯମକ, ଆଦ୍ୟ ପ୍ରାନ୍ତଯମକ, ସର୍ବାଯମକ, ଶୃଙ୍ଖଳା ଯମକ, ମେଷଯୁଦ୍ଧ, ବ୍ୟାଘ୍ରଗତି, ସିଂହାବଲୋକନ ପ୍ରଭୃତି କାବ୍ୟ କଳାର ସମସ୍ତ ଉପାଦାନ ବିଦ୍ୟମାନ । ରୂପକର ମଧ୍ୟ ଅଭାବ ନାହିଁ । ଉପମା ସେଠାରେ ଲଜ୍ଜିତ; ଯେହେତୁ ଉଦ୍ୟାନଟି ଉପମାର ଉପମା । ‘‘ବିଭ୍ରାଛିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗକରେ କେଳି, ବନି ବନି ବନିତାକ ସ୍ପଷ୍ଟ ହାସେ ଝଳି, ଭଞ୍ଜ ମହାକବିଙ୍କର ଏହି ମାଳଯମକର ଜୀବନ୍ତ ଦୃଷ୍ଟାନ୍ତ ସେଠାରେ ଦେଖି ମୁଁ ମୁଗଧ୍‌ଏବଂ ଆତ୍ମବିସ୍ମତ ହୋଇଗଲି । ଭୃଙ୍ଗରାଗ ଗଛ, ଗୁଡ଼ତ୍ୱକ୍‌ଗଛ ତ ସେଠାରେ ସୁଲଭ; ଅଧିକନ୍ତୁ ଭ୍ରମରର ସୁଦ୍ଧା ଅଭାବ ନାହିଁ । ଯୁଇ ଗଛରେ ଝଙ୍କା ଝଙ୍କା ଫୁଲ ଫୁଟିଅଛି । ସେ ଶୋକପାଶୋରା ଉଦ୍ୟାନରୁ ମୁଁ ପ୍ରତ୍ୟହ ଜୁଇ ଫୁଲ ଆଣି ପୂଜା କରୁଥିଲି । ଉଦ୍ୟାନରେ କେତେ ବୃକ୍ଷଲତା, ଗୁଳ୍ମ ଅଛି ତାହା କଳି ହେବ ନାହିଁ । ପ୍ରବନ୍ଧ ବାହୁଲ୍ୟ ଭୟରେ ସେଥି ମଧ୍ୟରୁ କେତେଗୁଡ଼ିକର ନାମ ଏଠାରେ ଲିଖିତ ହେଲା । ଯଥା- ଗୋଲାପ, କରବୀର, କୁନ୍ଦ, ମଲ୍ଲି, ଚମ୍ପା, ଜାଇ, ଜୁଇ, ଟଗର, ଇଟଳା, ତରାଟ, ଗନ୍ଧରାଜ, ଅଶୋକ, ବକୁଳ, କାମିନୀ, ନିତି ନିଆଳୀ, ମାଳତୀ, ମାଧବୀ, ଶିମିତୀ, ଶିରାକ୍ଷୀ, ସିଦୁଡ଼ି, ଡାଳିମ୍ବ, ସପୁରୀ, ଆଛୁ, ପଣସ, ଆମ୍ଭ, କଦଳୀ, କରମଙ୍ଗା, ଅମୃତଭଣ୍ଡା, ନଡିଆ, ସାଗୁଆନ, ଅଳାଇଚ, ଗୁଜୁରାତି, ଚଡ଼ତ୍ୱତ୍‌, ତେଜପତର, ଗୁଗୁଳ, ଭରତ ବାଟୁଳୀ, ଲିଚୁ, ବଡ଼ଗୁଞ୍ଜ, କ୍ଷୀରକୋଳି, ସୁନାରୀ, ଶିଶୁପା, ହେଙ୍ଗୁ, ରବର, ଲଙ୍କାଆମ୍ବ ପ୍ରଭୃତି। ସ୍ଥୁଳରେ ଉଦ୍ୟାନଟି ଶୋଭାଲକ୍ଷ୍ମୀ ଏବଂ ପ୍ରକୃତି ଲକ୍ଷ୍ମୀଙ୍କର ଅକ୍ଷୟ ରତ୍ନଭଣ୍ଡାର । ଉଦ୍ୟାନ ମଧ୍ୟରେ ଗୋଟିଏ ମାଟି ବଙ୍ଗଳା ଅଛି, ତାହା ତପୋବନ ଅଛି, ତାହା ତପୋଂବନ ମଧ୍ୟରେ ୠଷି ଆଶ୍ରମ ପରି ଦିଶେ । ଉଦ୍ୟାନଟି ରୁଚିର ଉଚ୍ଚ ଆଦର୍ଶ ଏବଂ ସୌନ୍ଦର୍ଯ୍ୟର ଉଚ୍ଚ ପରିକଳ୍ପନା ବକ୍ଷରେ ଧାରଣ କରି ଲାଞ୍ଜିଗଡ଼ ରାଜଧାନୀରେ ଗୌରବ ଶତଗୁଣିତ କରିଅଛି । ବୃକ୍ଷଗୁଡିକ ଫଳପୁଷ୍ପ ଭାରରେ ଆନତ ହୋଇ ଗୁଣୀର ଉପମା ଧାରଣ କରିଅଛି । ଗୁଣହୀନା ସୁନ୍ଦରୀ ଉପମାର ମଧ୍ୟ ଅଭାବ ନାହିଁ । ଇଟଳା ଏବଂ ସହଚରୀ (କୁରୁବକ) ସେହି ଶ୍ରେଣୀୟ । କବିତା ରଚନା ପରି ଉଦ୍ୟାନ ରଚନା ଗଭୀର ଚିନ୍ତାଶୀଳତା ସାପେକ୍ଷ । କେଉଁ ଶବ୍ଦ ପାଖରେ କେଉଁ ଶବ୍ଦ ଶ୍ରୁତିମଧୁର ହେବ, ତାହା ବାଛି କବି ଶବ୍ଦଯୋଜନା କରେ । ସେହିପରି କେଉଁ ଫୁଲପାଖକୁ କେଉଁ ଫୁଲ ସୁନ୍ଦର ଦିଶିବ ତାହା କଳ୍ପନା କରି ଉଦ୍ୟାନରତ ବୃକ୍ଷରୋପଣ କରେ । ବିଶୃଙ୍ଖଳତାରେ ସ୍ୱଭାବ ସୌନ୍ଦର୍ଯ୍ୟ ଥାଏ; ମାତ୍ର ଶୃଙ୍ଖଳା ସେହି ସୌନ୍ଦର୍ଯ୍ୟର ମୂଲ୍ୟ ଏବଂ ଗୌରବ ବଢାଇଦିଏ । ସ୍ୱାଭାବିକତା ସଙ୍ଗେ କୃତ୍ରିମତା ନ ମିଶିଲେ ସୌନ୍ଦର୍ଯ୍ୟ ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ । ସ୍ୱର୍ଣ୍ଣପିଣ୍ଡ ସୁନ୍ଦର; ମାତ୍ର ସେଥିରେ ଅଳଙ୍କାର ଗଢା ହେଲେ ଆହୁରି ସୁନ୍ଦର ହୁଏ । ଉଦ୍ୟାନରଚନା ସହଜ କାର୍ଯ୍ୟ ନୁହେଁ, ସେଥିରେ ବହୁଚିନ୍ତା, ବହୁ କଳ୍ପନା ଆବଶ୍ୟକ । ବହୁ ସୌନ୍ଦର୍ଯ୍ୟର ସାମବେଶରେ ବୈଚିତ୍ୟର ସୃଷ୍ଟି ହୁଏ । ସୌନ୍ଦର୍ଯ୍ୟ ଅପେକ୍ଷା ବୈଚିତ୍ର୍ୟ ମାନବପ୍ରାଣକୁ ଅଧିକ ଆକର୍ଷଣ କରେ । ତାହା ଦର୍ଶକହୃଦୟରେ ଆନନ୍ଦର ସ୍ପନ୍ଦନଢେଉ ଖେଳାଇଦିଏ । କବିତା ପରି ଫୁଲ ଗୁନ୍ଥାରେ ସୁଦ୍ଧା ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଉଭୟ ଆବଶ୍ୟକ । ଭାବ ଯେପରି କବିତାର ପ୍ରାଣ, ବୈଚିତ୍ର୍ୟ ସେହିପରି ସୌନ୍ଦର୍ଯ୍ୟର ଜୀବନ । ବୈଚିତ୍ର୍ୟ ବିହୀନ ସୌନ୍ଦର୍ଯ୍ୟ ରତ୍ନହୀନ ଅଳଙ୍କାର ତୁଲ୍ୟ । ଏ ଉଦ୍ୟାନରେ ସୌନ୍ଦର୍ଯ୍ୟ ଅଛି, ବୈଚିତ୍ର୍ୟ ମଧ୍ୟ ଅଛି; ସୁତରାଂ ତାହା ଦର୍ଶନୀୟ ଏବଂ ଉପଭୋଗ୍ୟ । ସେ ଉପଭୋଗ ଲାଳସାର ଅବସାଦ ଆଣେ ନାହିଁ ପ୍ରତ୍ୟୁତ ବୃଦ୍ଧି ଆନୟନ କରେ । ଅର୍ଥାତ୍‌ ଯେତେ ଉପଭୋଗ କଲେ ଉପଭୋଗ ଲାଳସା ତେବେ ବଢୁଥାଏ । ଏ ଭଳି ଦୃଶ୍ୟ ଛାଡ଼ି ଆସିଲେ ମନ କିପରି ନିଷ୍ପ୍ରଭ ହୋଇପଡେ । ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟ କେହି ବୁଝିପାରିବେ ନାହିଁ ।

 

ଏ ଅଞ୍ଚଳରେ ଭେରୁ ଫଳକୁ ଭରତ ବାଟୁଳି କହନ୍ତି । ନାମକରଣ ଉପଯୁକ୍ତ ହୋଇଅଛି-। ଉଦ୍ୟାନରେ ଅଳେଇଚ ଏବଂ ଗୁଜୁରାତି ଗଛ ଖୁବ୍‌ ପରିସ୍ପଷ୍ଟ ହୋଇ ବଢୁଥିବାର ଦେଖିଲି; ମାତ୍ର ଶୁଣିଲି ସେଥିରେ ଫଳ ହୁଏ ନାହିଁ, ଫୁଲ ଫୁଟି ଝଡ଼ିପଡ଼େ । ଅଳେଇଚ ଲତା ବୋଲି ଶୁଣିଥିଲି: ମାତ୍ର ଏଠାରେ ଦେଖିଲି ତାହା ଲତା ନୁହେଁ- ଗୁଳ୍ମ । କିମ୍ବା ଲତାଗୁଳ୍ମ ଉଭୟ ପ୍ରକାର ଥାଇ ପାରେ ସେହିପରି ଲବଙ୍ଗ ଲତା ବୋଲି ବର୍ଣ୍ଣନା ଅଛି; ମାତ୍ର ଲାଞ୍ଜିଗଡ଼ ନଅର ମଧ୍ୟରେ ଲବଙ୍ଗ ଗଛ ଦେଖିଲି, ତାହାର ପତ୍ର ଦଳିଦେଲେ ଅବିକଳ ଲବଙ୍ଗ ପରି ବାସେ । ଗଛରେ ଲବଙ୍ଗ ହୁଏ ନାହିଁ । ରାଜା ସାହେବଙ୍କୁ ପଚାରିଲି, ସେ କହିଲେ ଲବଙ୍ଗର ଗଛ ଲତା ଉଭୟ ହୁଏ । ମୁଁ ଲତାଆମ୍ବ, ଲତାଆଉ, ଲତାପଳାଶ ଦେଖିଅଛି, ଏହା ସେହିପରି ହୋଇଥିବ । ପ୍ରକୃତିର ରହସ୍ୟ କିଲ ବୁଝିବ ? ଉଦ୍ୟାନରେ ବୁଲି ବୁଲି ୧୦ଘଣ୍ଟା ସମୟରେ ଫେରିଆସିଲି । ଦୁଇଟି ଅଳେଇଚ, ଗୁଜୁରାତି ଗଛ ଆଣିଥିଲି, ତାହା ମୋର ଫୁଲ ବଗିଚାରେ ଲଗାଇଅଛି । ଗଛ ଦୁଇଟି ଜୀବିତ ରହି ବଢୁଅଛି, ତାହା ଲାଞ୍ଜିଗଡ଼ର ସ୍ମୃତି ।

 

ବଙ୍ଗଳାକୁ ଫେରିଆସି ଶୁଣିଲି, ଆଜି ମାଛି ଅନ୍ଧାର ବେଳେ ପର୍ବତ ତଳ ମୃଗ କିଆରିରେ ରାଜା ଘର ଗୋଟାଏ ବଳଦ ଚରୁଥିଲା । ବାଘ ତାକୁ ଦରମରାକରି ପକାଇଦେଇଯାଇଅଛି । ସେ ସ୍ଥାନ ବଙ୍ଗଳାର ଅଳ୍ପଦୂରରେ, ପଛପାଖ ବାରନ୍ଦାକୁ ଦେଖାଯାଏ । ଦେଖିଲି ଅନେକ ଲୋକ ସେଠାକୁ ଧାଇଁ ଅଛନ୍ତି । ଚାକରଟିର ମନ ବାଘ ଦେଖିବା ପାଇଁ ଟାକୁ ଟାକୁ ହେବାରୁ ସେ କହିଲା, ମୁଁ ଯାଇ ଦେଖିଆସେଁ ବାଘ କଣ ଗୋଡ଼ାଇଆଣିବ । ମୁଁ କହିଲି-ନା, ମାମୁ ପରି ଖେଳକରି କାଖେଇ ନେଇଯାଇ ତୋତେ ଦୁଧଭାତ ଖୁଆଇବ । ଏ ପରିହାସ ଶୁଣି ସେ ଆଉ ଯିବାକୁ ସାହସୀ ହେଲା ନାହିଁ । ପୂଜାରୀ, ଲରିଆ ଦୁହେଁ ଆସ ବାଘ ମାରିବା ଇତିହାସ ଆରମ୍ଭ କଲେ । ସେମାନେ କହିଲେ ବାଘ ଶିକାରକୁ ମାରି ତଣ୍ଟି ଫୁଟାଇ ରକ୍ତ ଶୋଷି ପିଇଦିଏ । ଇଚ୍ଛା ହେଲେ ମାଉଁସିଆ ଯାଗାରୁ ପୁଳାଏ ଦୁଇପୁଳା ଖାଏ ନଚେତ୍‌ ନାହିଁ । ଶବଟାକୁ ସେହିଠାରେ ଛାଡି ଚାଲିଯାଏ । ଶବ ପଡିଥିବା ସ୍ଥାନରେ ମଞ୍ଚା ବା ଭାଡି ପ୍ରସ୍ତୁତ କରି ବ୍ୟାଘ୍ର ଶିକାର କରାଯାଏ । ଦ୍ୱିତୀୟରେ ମଞ୍ଚା ପ୍ରସ୍ତୁତ କରିବାର ସୁବିଧା ସୁଯୋଗ ନ ଥିଲେ ହକ୍‌କା ବା ଖେଦାଦ୍ୱାରା ବ୍ୟାଘ୍ର ଶିକାର କରାଯାଇଥାଏ । ତୃତୀୟାଂଶ ମଞ୍ଚା କିମ୍ବା ହକ୍‌କା ଦ୍ୱାରା ବ୍ୟାଘ୍ର ବଧ କରିବା ଅସମ୍ଭବ ହେଲେ ବାଘକୁ ମାରିବା ପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କରାଯାଇଥାଏ; ମାତ୍ର ତାହା କ୍ୱଚିତ୍‌। ପୂର୍ବୋକ୍ତ ଦୁଇ ପ୍ରକାରରେ ବ୍ୟାଘ୍ର ନିପାତ ସାଧାରଣଃ କରାଯାଇ ଥାଏ । ଶବକୁ ଦୃଢରୂପେ ବାନ୍ଧିରଖି କିଛିଦୂର ଅନ୍ତରରେ ତାହାର ଦୁଇଆଡେ ଦୁଇଟା ବନ୍ଧୁକ ବସାଇବାକୁ ହୁଏ । ବନ୍ଧୁକରେ ସୂତା; ବାନ୍ଧି ଶବଦେହରେ ଲଗାଇ ବାନ୍ଧି ଦିଆଯାଏ । ସୁବିଧା ସ୍ଥାନ ଦେଖି ଗୋଟାଏ ମଞ୍ଚା ବନ୍ଧାଯାଏ । ଜଣେ ଶିକାରି ବନ୍ଧୁକ ଘେନି ସେଥିରେ ଗୋପନରେ ବସେ । ବାଘ ଆସି ଶବକୁ ଟାଣିଲେ ଦୁଇ ଆଡ଼ର ବନ୍ଧୁକ ଫୁଟିଯାଏ, ଗୁଳି ଆସି ବାଘର ଦୁଇ ଖୁଆତଳେ ବିଦ୍ଧ ହୁଏ । ସଙ୍ଗେ ସଙ୍ଗେ ବାଘ ପଡିଯାଇ ମରିଯାଏ । ଲକ୍ଷ୍ୟ ବ୍ୟର୍ଥ ହେଲେ ଶିକାରୀ ମଞ୍ଚା ଉପରୁ ଗୁଳି କରି ବାଘକୁ ମାରିଦିଏ ।

 

ଆମ ରାଜା ଖୁବ୍‌ ଶିକାରି, ସେ ଅନେକ ବାଘ ମାରିଲେଣି । କଅଣ କହିବୁଁ, ବାବୁ ବାଘକୁ ସେ ଭୂଆଁ ବିରାଡି ଜ୍ଞାନ କରନ୍ତି । ବରାହକୁ ବାଘ ସହଜରେ ମାରିପାରେ ନାହିଁ, ସେ ଆଗ ଦୁଇଗୋଡ ଟେକି ବାଘ ସାଙ୍ଗରେ ଯୁଦ୍ଧ କରେ । ଦାଉ ପଡିଲେ ବାଘକୁ ଦାନ୍ତରେ ଚିରି ମାରିପକାଏ-। ଏହିସବୁ କଥା ଶୁଣି ମୋ ଚାକରଟି ଭୟରେ ଥରିଲା । ତାହା ଦେହରେ ଏପରି ଗୋଟାଏ ଛାନିଆ ପଶିଗଲା ଯେ ସେ ପ୍ରତ୍ୟହ କହିଲା ‘‘ଏଠାରୁ ଶୀଘ୍ର ବାହାରିଯିବା ଭଲ ।’’ ସେହିଦିନଠାରୁ ଖରା ନ ଆସିବା ପର୍ଯ୍ୟନ୍ତ ସେ ଘରୁ ବାହାରେ ନାହିଁ । ଭୟରେ ସେ ଏଭଳି ଆତୁର ହୋଇଥିଲା ଯେ ଭଦ୍ରଖ ଆସି କେତେଦିନ ଯାଏ ରାତିରେ ବାଘ ସ୍ୱପ୍ନ ଦେଖି ଆର୍ତ୍ତ ଚିତ୍କାର କରିଉଠେ । ବଙ୍ଗଳାରେ ଭୟର କାରଣ କିଛି ଥିଲା ନାହିଁ । କାଳେ ଆମ୍ଭେମାନେ ଭୟ କରିବୁ, ସେଥି ପାଇଁ ରାଜାସାହେବଙ୍କ ଆଦେଶରେ ଚାରିଜଣ କନ୍ଧ ଆସି ରାତ୍ରିରେ ବଙ୍ଗଳା ବାହାରେ ଜଗିରହୁଥିଲେ । ଏଭଳି ବ୍ୟବସ୍ଥା ସତ୍ତ୍ୱେ ଚାକରଟି ଭୟରେ ଅସ୍ଥିର ହେଉଥାଏ । ମୁଁ ମନେ ମନେ ଭାବୁଥାଏ, ଏ ବୀର ପୁରୁଷଟିକୁ ସଙ୍ଗରେ ଆଣିବା ବାସ୍ତବରେ ଭୁଲ ହୋଇଛି କନ୍ଧମାନେ ନିଆଁ ଜାଳି ଗଛମୂଳରେ ଶୁଅନ୍ତି । ସେମାନେ ଏଭଳି ଅପୂର୍ବ ଜୀବ ଯେ, ଭୀଷଣ ଶୀତରେ ପଦାରେ ପଡିରହନ୍ତି, ଘରକୁ ଡାକିଲେ ଆସନ୍ତି ନାହିଁ । ଭୟ ଯାହାଙ୍କୁ ଭୟରେ ଦୂରକୁ ଜୁହାର କରେ, ତାଙ୍କର କାହାକୁ ବା ଭୟ ?

 

ଅପରାହ୍ନରେ ଆଉ କୁଆଡ଼େ ଯିବାକୁ ହୋଇ ନାହିଁ । ଚିଠି ଲେଖାରେ ସେ ସମୟ ଅତିବାହିତ ହେଲା । ସବ୍‌ଇନ୍‌ସପେକ୍‌ଟର ବାବୁ ୪ଟାବେଳେ ଆସିଥିଲେ । ସେ ଜଣେ ସୁଚତୁର ବ୍ୟକ୍ତି, ପୋଲିସ ବିଭାଗର ଉପଯୁକ୍ତ । ତାଙ୍କଠାରୁ ମୁଁ ଯଥେଷ୍ଟ ଅନୁକୁଲ୍ୟ ଅଯାଚିତ ଭାବରେ ପାଇଅଛି ।

 

ଆଜି ଶୁକ୍ରବାର, ମୋ ରାଶିର ଘାତ ବାର । ଅପରାହ୍ନରେ ନିୟାମଗିରି ପର୍ବତକୁ ଯିବାକୁ ହେବ । କି ଆଘାତ ଭାଗ୍ୟରେ ଅଛି କେଜାଣି । ଅମଙ୍ଗଳ ମଧ୍ୟରେ ବି ତ ମଙ୍ଗଳ ଥାଏ । ଜ୍ୟୋତିର୍ବିଦ ମତରେ ‘‘ବୃଷ୍ଟିପୁଚ୍ଛ ଶୁଭପ୍ରଦ’’ ସାପ ଦେଖିବା ଅମଙ୍ଗଳ; ମାତ୍ର ସାପର ଲାଞ୍ଜ ଦେଖିବା ମଙ୍ଗଳ । ଦିନର ଶେଷ ଭାଗରେ ଯିବାକୁ ହେବ; ସୁତରାଂ ଅମଙ୍ଗଳ କଟିଯାଇଥିବ । ଏହି ଯୁକ୍ତି ମନରେ ଶାନ୍ତ ଦେଲା । ପ୍ରାୟ ତିନିଟାବେଳେ ଅଚ୍ୟୁତନନ୍ଦ ବାବୁ ମୋଟର ଘେନି ପହୁଞ୍ଚିଲେ । ରାଜା ମହୋଦୟ ସେ ଦିନ ବିଶେଷ କାର୍ଯ୍ୟବ୍ୟସ୍ତ ଥିବାରୁ ତାଙ୍କର ଯିବାର ସୁବିଧା ହେଲା ନାହିଁ । ପୋଲିସ୍‌ ସବ୍‌ଇନ୍‌ସପେକ୍‌ଟର ବାବୁ ପଥପ୍ରଦର୍ଶକ ହେବେ । ସଙ୍ଗରେ ପୋଲିସ ଥିଲେ ଆଉ ଭୟ ବା କଣ ? ମୋଟରରେ ବସି ପର୍ବତ ଅଭିମୁଖରେ ଯାତ୍ରା କରିବାକୁ ହେଲା । ପଥପାର୍ଶ୍ୱରେ ନୀଳକଣ୍ଠେଶ୍ୱରଙ୍କ ଦେଉଳ ଦେଖିଲି । ରାଜାସାହେବ ଏହି ନୂତନ ଦେଉଳ ନିର୍ମାଣ କରାଇଅଛନ୍ତି । ଦେଉଳଟି କାରୁକଳାରେ ଅଳଙ୍କୃତ । ଏହି ଯୋଗେଶ୍ୱର ହର ଲାଞ୍ଜିଗଡ଼ର କ୍ଷେତ୍ରପାଳ ରୂପେ ବିରାଜମାନ । ମହାକାଳଭୈରବ ଏବଂ ମହାକାଳଭୈରବୀ ଗ୍ରାମ୍ୟ ଦେବଦେବୀ ଅଟନ୍ତି । ମୋଟର କେତେଦୂର ଯାଏ ଗଲା, ତେଣିକି ଆଉ ଯିବାର ଉପାୟ ନାହିଁ । ଝିଙ୍କ ଗ୍ରାମ ଖଳାରେ ମୋଟର ରହିଲା । ଦେଉଳମାଳ ପରି ଖଳାରେ ଧାନଗଦାମାନ ବସିଅଛି । ସେଠାରୁ ମୋଟରରୁ ଓହ୍ଲାଇ କନ୍ଧବାହନଯୁକ୍ତ ଦୋଳାଯାନରେ ବସି ମୁଁ ଅଗ୍ରସର ହେଲି । ଆଉ ସମସ୍ତେ ଚାଲି ଚାଲି ସଙ୍ଗରେ ଗଲେ । ଦୁଇ ଜଣ କନ୍ଧ ଦୋଳା କାନ୍ଧେଇଲେ, ଆଉ ଦୁଇଜଣ କାନ୍ଧ ବଦଳାଇବା ପାଇଁ ପଛେ ପଛେ ଚାଲିଥାଆନ୍ତି । ଜଣେ ପଦପଦର୍ଶକ ଏବଂ ଜଣେ ପଥା ସଂସ୍କାରକ ଟାଙ୍ଗି ହସ୍ତରେ ଆଗେ ଆଗେ ଚାଲିଲେ । ପୋଲିସ ସବ୍‌ଇନସ୍‌ପେକ୍‌ଟର ବାବୁ, ସୋମନାଥ, ଡ୍ରାଇଭର ଏବଂ ଜଣେ ପାଇକ ଏହିପରି ଗୋଟିଏ କ୍ଷୁଦ୍ର ଦଳ ଘେନି ମୋର ପାରିଧିଯାତ୍ରା ଆରମ୍ଭ ହେଲା । ଖଣ୍ଡେ ନୂତନ ପଥ ପ୍ରସ୍ତୁତ ହୋଇଅଛି, ମାଟି ହଙ୍ଗୁଳପରି ଲାଲବର୍ଣ୍ଣ ପଥଟି ପଦ୍ମରାଗ ନିର୍ମିତପରି ବଡ଼ ସୁନ୍ଦର ଦିଶୁଥାଏ, ବିସ୍ତୀର୍ଣ୍ଣାଶସ୍ୟକ୍ଷେତ୍ର ଭେଦ କରି ଯିବାକୁ ହେଲା । ବଦାନ୍ୟ ହୃଦୟରେ ଦୟାର ଧାରା ପ୍ରାୟ ପ୍ରତି କିଆରିର ପାଖେ ପାଖେ ଝରଜଳଧାରା କୁଳୁକୁଳୁ ଶବ୍ଦରେ ଚାଲିଥାଏ, ପୟଃପ୍ରଣାଳୀଗୁଡିକ ଏରୂପ ଭାବରେ ପ୍ରସ୍ତୁତ ହୋଇଅଛି ଯେ, ଜଳ ଆପେ ଆପେ ଶସ୍ୟକ୍ଷେତ୍ରରେ ମାଡିଯିବା କିଛିକ୍ଷଣ ପରେ ବଣ ଆରମ୍ଭ ହେଲା । ମୁଁ ମନେମନେ ‘‘ନରସିଂହ’’ ସ୍ମରଣପୂର୍ବକ ଯାକିଯୁକି ହୋଇ ଦୋଳା ମଧ୍ୟରେ ବସିଲି । ସ୍ଥାନେ ସ୍ଥାନେ ଘନତୃଣକ୍ଷେତ୍ରରେ ଏକପ୍ରକାର ରକ୍ତବର୍ଣ୍ଣର ଫୁଲ ଫୁଟି ମରକତପାତ୍ରରେ ପଦ୍ମରାଗ ମଣି ଥୁଆ ହେଲାପରି ସୁନ୍ଦର ଦିଶୁଥାଏ । ବର୍ଷାକାଳରେ ବୃକ୍ଷ ଲତାର ଆଚ୍ଛାଦନରେ ପଥସଙ୍କୋଚ ହୋଇଯାଇଥିଲା । ବଣ କାଟି କାଟି ପଥ କରିନେବାକୁ ହେଉଥାଏ । ବନରେ ହିଂସ୍ରଜନ୍ତୁ ଥାଆନ୍ତି, ଯୋଗୀ ୠଷି ବି ଥାଆନ୍ତି । ତାହା ଚିରକାଳ ଦୃଷ୍ଟ ଶିଷ୍ଟରେ ପୂର୍ଣ୍ଣ । ତରୁଲତା ମଧ୍ୟରେ ଦୁଷ୍ଟଶିଷ୍ଟ ଉଭୟ ଅଛନ୍ତି । ଗତିପଥରେ ଶିଷ୍ଟ ତରୁଗୁଡିକ ମୋତେ ବୃଦ୍ଧ ଅକ୍ଷମ ଜାଣି ଯୋଗୀ ୠଷି ପରି ମୋ ମସ୍ତକରେ ଶାଖାକର ଅର୍ପଣ କରି ଆର୍ଶୀର୍ବାଦ କରୁଥାଆନ୍ତି । ଦୁଷ୍ଟ ତରୁଲତା ମାନେ ଚାବୁକ ପ୍ରହାର କରୁଥାଆନ୍ତି କେହି ଲୁଗା ଟାଣିଧରୁଥାଏ, କେହି ଆଖିରେ ଆଙ୍ଗୁଳି ଖୁଞ୍ଜିଦେଉଥାଏ, ରାଜାଙ୍କ ପୋଲିସ ସଙ୍ଗରେ ଥାଉଁ ଥାଉଁ ସେମାନଙ୍କର ଏ ଅତ୍ୟାଚାର; ବୋଧ ହୁଏ ପୋଲିସ ପ୍ରତାପ ସେଠାରେ କ୍ଲୀବ୍‌ । ସମସ୍ତେ ସମ୍ମୁଖଭାବରା ଆକ୍ରମଣ କରୁଥାଆନ୍ତି, ତାହାହିଁ ବୀରର ଲକ୍ଷଣ, ସେମାନଙ୍କ ପ୍ରତାପରେ ଚକ୍ଷୁ ଦୁଇଟି ନଷ୍ଟ ହେବା ଭୟରେ ମୁଁ ଆଖି ବୁଜି ଦୋଳାରେ ବସିଥାଏ । ପ୍ରାଣ ଭିତରେ କିଏ କହୁଥାଏ :-

 

ମନ୍ଦବୁଦ୍ଧି କରି କନ୍ଧବାହନରେ

ଅନ୍ଧ ହୋଇ କଲି ଗତି

ଲତା ଛନ୍ଦଣୀରେ ଗୋଡ଼ ଛନ୍ଦିଗଲା

ବନ୍ଦୀ ହେଲି ଗିରି କତି ।

 

ବନ୍ୟପକ୍ଷିକୁଳ ଉଚ୍ଚସ୍ୱରରେ ଘନ ଘନ ଚିତ୍କାର କରୁଥାଆନ୍ତି । ଆମ୍ଭମାନଙ୍କୁ ନବାଗନ୍ତୁକ ଦେଖି ସ୍ୱାଗତ ସମ୍ଭାଷଣ କରୁଥାଆନ୍ତି କିମ୍ବା ସେମାନଙ୍କ ଅବାଧ ଅଧିକାରରେ ପଶିବାରୁ ତୀବ୍ର ତିରସ୍କାର ବର୍ଷଣ କରୁଥାଆନ୍ତି, ତାହା ସେହିମାନେ ଜାଣନ୍ତି । ପକ୍ଷିଭାଷା ମନୁଷ୍ୟର ଅଗୋଚର, ସେ କଅଣ ବୁଝି ପାରିବ ? ଗତି ପଥରେ ଖଣ୍ଡେ ତୃଣପ୍ରାନ୍ତର ପଡିଲା । ମଣଷେ ଉଚ୍ଚରେ ଘାସ ବଢି ରହିଅଛି । ସମସ୍ତେ ତୃଣ ସାଗରରେ ବୁଡିଗଲୁଁ । ଏକପ୍ରକାର ଗୁଳ୍ମର ଜଟା ଦେହରେ ଲୁଗାରେ ସିଇଁ ହୋଇଗଲା । ଛଡ଼ାଇଲେ ସୁଦ୍ଧା ଛାଡିଲା ନାହିଁ । ଭାବିଲି ଏ ମୋର ପାରିଧି ଛେଶ । ଅଗତ୍ୟା ସେହି ଜଟାଗୁଡ଼ିକୁ ଅଳଙ୍କାର ତୁଲ୍ୟ ବହିବାକୁ ହେଲା । କେତେ ମୟୁରମୟୂରୀ ବୁଲୁଥିବାରୁ ଦେଖିଲି-। ସେମାନଙ୍କ କଣ୍ଠ ଓ ସ୍ୱଚ୍ଛରେ ସୂର୍ଯ୍ୟ କିରଣ ପଡି ଅପୂର୍ବ ସୁଷମା ସୃଷ୍ଟି କରୁଥାଏ । ବଂଶବନରେ ଇନ୍ଦ୍ରଧନୁ ଶୋଭିଲା ପରି ବିଚିତ୍ର ପୃଚ୍ଛ ଝୁଲିପଡ଼ିଥାଏ । ପର୍ବତ ତଳେ ଏବଂ କଟୀରେ ରାଜାଙ୍କର ବିସ୍ତୃତ କମଳାତୋଟା ଅଛି: ମାତ୍ର ଦୁର୍ଭାଗ୍ୟବଶତଃ କମଳାସୁନ୍ଦରୀଙ୍କର ସାକ୍ଷାତ ମିଳିଲା ନାହିଁ । ଚିରକାଳ ତ ସେ ମୋପ୍ରତି ପ୍ରତିକୂଳା, ସପତ୍ନୀପୁତ୍ରର ମୁଖ ଦେଖିବାକୁ କେଉଁ ବିମାତା ଅବା ମୁଖ ମଣେ ? ବିବିଧ ଅନାମଧେୟ ପୁଷ୍ପଶୋଭିତ ଗଭୀର ଅରଣ୍ୟ ମଧ୍ୟରେ ଝରଣାସ୍ରୋତ ମଧୁର ହୁଳାହୁଳି ଦେଇ ବହିଯାଉଅଛି । ଏ ଅମଙ୍ଗଳ ସ୍ଥାନରେ ମଙ୍ଗଳ ଶବ୍ଦ ଶୁଣି ଚିତ୍ତ ପୁଲକିତ ହୋଇଉଠିଲା । ସେ ମଧୁର ଶବ୍ଦ ଶ୍ରାନ୍ତ ପଥିକର ପଥକ୍ଲେଶ ହରଣ କରିନିଏ ।

 

‘‘ରଘୁନନ୍ଦନ’’ ସ୍ମରଣ କରି ପର୍ବତକୁ ଉଠିବାକୁ ହେଲା । ଗତି ପଥରେ କଦଳୀଝର ବହୁଥିବାର ଦେଖିଲି । କିଞ୍ଚିତ ଦୂରରେ ବଂଶଧାରାଝର ବହି ଯାଉଥାଏ । ଦୁହେଁ ଅଲେଳ ବାଳିକା ପ୍ରାୟ ପିତୃଅଙ୍ଗରେ ଅତି ଆନନ୍ଦରେ ଖେଳିବୁଲୁଅଛନ୍ତି । ନିୟାମଗିରି ଲାଞ୍ଜିଗଡ ଏବଂ ଜୟପୁର ରାଜ୍ୟର ସୀମାସ୍ତମ୍ଭ । ଜୟପୁର ପାଖରେ ଅନେକ ଝରଣା ଥିବାରୁ କନ୍ଧମାନେ ତାକୁ ପର୍ବତ ପେଟ ଏବଂ ଲଞ୍ଜିଗଡ଼ ପାଖକୁ ପିଠି ବୋଲି କହନ୍ତି । ଜୟପୁର ପାଖ ପର୍ବତ ଉପରେ ବିସ୍ତର କଦଳୀ ଏବଂ କମଳାବନ ଅଛି । ଆମ୍ବ ପଣସତୋଟା ମଧ୍ୟ ପ୍ରଚୁର ଅଛି । ପର୍ବତ ଉପରେ ଉତ୍ତୟ ରାଜ୍ୟର ସୀମାସୂଚକ ପ୍ରସ୍ତର ବନ୍ଧ ଅଛି । ତଳୁ ଚାହିଁଲେ ଗିରିଶିରରେ ଅଜଗର ଶୋଇଲା ଭଜି ଦେଖାଯା; କିମ୍ବା ଗିରିରୂପ ଶିବଜଟାରେ କଳାନାଗର ଶୋଭା ଧାରଣ କଲା ପ୍ରାୟ ଦିଶେ । ଏ ପର୍ବତରେ ଅନେକ କନ୍ଧପଲ୍ଲୀ ଅଛି । ଗିରି ସେମାନଙ୍କର ସଂସାର ଏବଂ ଗନ୍ତାଘର ।

 

ପର୍ବତକୁ ଉପରକୁ ଉଠିବା ବେଳେ ଦୁଇପାଖରେ ଅନେକ ଶେଫାଳିକା ଗଛ ଦେଖିଲି । ଶରତ ସୁନ୍ଦରୀ ବିଷଣ୍ଣ ମୁଖରେ ଉଭା ହୋଇଛନ୍ତି । ତାଙ୍କର ସମ୍ପଦକାଳ ସରିଯାଇଅଛି । ଏବେ ସେମାନେ କାଙ୍ଗାଳୁଣୀ ବେଶ ଧରିଅଛନ୍ତି । ସମ୍ପଦ ତ ଏହିପରି ଅସ୍ତାୟୀ; ତେବେ ସେଥିପାଇଁ ଦୁଃଖ କାହିଁକି ? ସୌଭାଗ୍ୟ ବାରମ୍ବାର ଆସେ ଏବଂ ଯାଏ, ସେ ଯିବାଲାଗି ଆସେ ପୁଣି ଆସିବା ଲାଗିଯାଏ । ଏଠାରେ ରାଜା ବିସ୍ତର କଲମୀ କମଳ ଗଛ ଲଗାଇଅଛନ୍ତି । ପୁରୁଣା କମଳାତୋଟାରେ ଅଧିକାଂଶ ଗଛ ବୁଢା ହୋଇଗଲାଣି, ସେଥିରେ ପୂର୍ବପରି ଫଳ ହେଉ ନାହିଁ । ନୂଆତୋଟା ଫଳିବାକୁ ଆରମ୍ଭ କରିଅଛି । ନୂଆ କମଳା ତୋଟାମାନଙ୍କରେ ଝରପାଣି ମାଡିବାର ବ୍ୟବସ୍ଥା କରାଯାଇଅଛି । ଝରର ଶକ୍ତି ବଣରେ ମିଳାଇଯାଉ ନାହିଁ, ତାକୁ ଧରି ତାହାଦ୍ୱାରା କାର୍ଯ୍ୟ କରାଯାଉଅଛି । ପ୍ରକୃତିର ଶକ୍ତିକୁ କାର୍ଯ୍ୟରେ ଖଟାଇପାରିଲେ କାର୍ଯ୍ୟ ଅନାୟସସାଧ୍ୟ ହୁଏ । କମଳତୋଟା ପାଖରେ ମୁଁ ଦୋଳାରୁ ଓହ୍ଲାଇଲି । ସେଠାରେ ଝର ତୀରରେ ଅନେକ ପ୍ରକଣ୍ଡ ପୃଥଳ ଚମ୍ପାଗଛ ଅଛି । ଏଭଳି ବୃହତ୍‌ଚମ୍ପାଗଛ ମୁଁ କେଉଁଠି ଦେଖି ନ ଥିଲି । ଫୁଲିଥିବା ସମୟରେ ସୁରଭି ସମ୍ଭାରରେ ଏ ସ୍ଥାନ ନନ୍ଦନକାନନକୁ ଧିକ୍‌କାର କରୁଥିବ । ଏଠାରେ ବିସ୍ତର ଆମ୍ବଗଛ ଅଛି । ତାହାର ଶାଖାମାନ ଗୋଟାଏ ବୃହତ୍‌ ଗଛ ପରି ମୋଟ । ନାରଙ୍ଗ ଗଛରେ ପକ୍ୱଫଳ ଗୁନ୍ଥିହୋଇରହିଅଛି । ସତେ ଯେପରି ବନଦେବୀ ପଦ୍ମରାଗ ହାରରେ ବେଶ ରଚନା କରି ଉଭା ହୋଇଅଛନ୍ତି । ଗୋଟାଏ ଗୋଟାଏ କାଗଜିଲେମ୍ବୁ ଗଛମୂଳରେ ଭାର ଭାର ପାକଲା ଲେମ୍ବୂ ଝଡିପଡିଅଛି । ଅଗ୍ରାହକ ଦେଶରେ ପଣ୍ଡିତ ପ୍ରତିଭା ପ୍ରାୟ ତାହା ପଚି ନଷ୍ଯ ହୋଇଯାଉଅଛି । ପର୍ବତ ଉପରେ ବହଳରେ ହରଡ଼ଗଛ ରହି ତଳକୁ ବଡ଼ ସୁନ୍ଦର ଦିଶୁ ଅଛି । ସ୍ୱର୍ଣ୍ଣବର୍ଣ୍ଣ ପୁଷ୍ପସ୍ତବକ ବନଭୂମିକୁ ଆଲୋକିତ କରିଅଛି । ତାହା ପାଖରେ କଦଳୀବଣ ବାହୁଙ୍ଗା ହଲାଇ ଗିରି ଅଧିବାସୀ ରାଜାସାହେବଙ୍କର ଜୟଧ୍ୱଜା ଉଡାଉଅଛି । କେଉଁଠାରେ ପର୍ବତର ରକ୍ଷୀ ସେନା ପ୍ରାୟ ପ୍ରକାଣ୍ଡ ଶାଳବଣ ବ୍ୟୂହରଚନା କରିଅଛି । କେଉଁଠାରେ ସୁପୁରୀ, ପଣସ, କେଉଁଠାରେ ବା ଇଟଳା ସୁନ୍ଦରୀ ଫୁଲରେ ଗଭା ମଣ୍ଡନକରି ହସୁଅଛି । କେଉଁଠି ଧାତୁକୀ ପ୍ରବାଳମାଳରେ ମଣ୍ଡିତ ହୋଇ ଗର୍ବରେ ନଇଁ ପଡିଅଛି । କେଉଁଠି ବା ତପସ୍ୱିନୀ ଧାତ୍ରୀ ଜପାମାଳି ଧରି ଧ୍ୟାନରେ ନିମଗ୍ନ ଅଛି । ଅନେକ ସ୍ଥାନରେ ବରାହ ଦନ୍ତରେ ଭୂମିକର୍ଷଣ କରିଯାଇଅଛି । ଜୁଲି ନାମରେ ଏକପ୍ରକାର ଗଛ ଅଛି, ତାହାର ପତ୍ରକୁ ଶାଗକରି ଖାଆନ୍ତି । ଆମ୍ବଗଛ ପରି ବୃହତ୍‌ ପଣସଗଛ ବି ପର୍ବତରେ ପ୍ରଚୁର ଦେଖଯାଏ । ସୁଗନ୍ଧ ଲତା, ଶତାବରୀ ପ୍ରଭୃତି ଔଷଧ ଲତା ପ୍ରାୟ ସର୍ବତ୍ର ଦେଖାଯାଏ । ଶତାବରୀକୁ ଏ ଅଞ୍ଚଳରେ ମୂତ୍ରୀମାଳ କହନ୍ତି । ଏ ଅଂଶରେ କୁରରୀ ଏବଂ ମୟୂରର ଶବ୍ଦ ଅଧିକ ହୁଏ । ଭୃଙ୍ଗରାଜ ନାମକ ପକ୍ଷୀର ସ୍ୱର କଟୁମିଶା ମଧୁର । ସ୍ୱରର ପ୍ରଥମାଂଶ କଟୁ, ଶେଷାଂଶ ମଧୁର ଶୁଣାଯାଏ ।

 

ସମୁଦ୍ର ଯେପରି ବିବିଧରତ୍ନର ଆକାର, ବନ ମଧ୍ୟ ସେହିପରି । ସମୁଦ୍ର ଅନନ୍ତ ବନ ମଧ୍ୟ ଅନନ୍ତ । ତାହାର ହିଂସ୍ରଜନ୍ତୁ-ମକର କୁମ୍ଭୀର, ପଲ୍ଲବ ସଞ୍ଚାଳନ- ଲହରୀ, ଫୁଲ- ଫେନରାଶ, ପଶୁହୁଙ୍କାର- ସମୁଦ୍ରଗର୍ଜନ, ଶଶିର-ବିନ୍ଦୁ- ମୁକ୍ତା ଏବଂ ଗୁଞ୍ଜ- ପ୍ରବଳ । ସମୁଦ୍ର ପରିବନ ଅକଳା ତାହା ଗର୍ଭରେ କେତେ ବୃକ୍ଷ, ଲତା, ଗୁଳ୍ମ, ତୃଣ, ଶୈବାଳ ପ୍ରଭୃତି ଅଛି, ତାହା କିଏ କଳିପାରିବ ? ଦିନ ଥାଉଁ ଥାଉଁ ସେଠାରେ ମୁହଁସଞ୍ଜ ପରି ବୋଧ ହେଲା । ଭୟଙ୍କର ସ୍ଥାନରେ ଆଉ ରହିବା ଉଚିତ ନୁହେଁ ଭାବି ଶୀଘ୍ର ଫେରି ଆସିବାକୁ ହେଲା । ନିୟାମଗିରିର ନାମ ଦୂରରେ ଥାଇ ଶୁଣିଥିଲି । ଏବେ ତାହାର ପୁଣ୍ୟ ସ୍ପର୍ଶସୁଖ ଲାଭ କରି ନିଜକୁ ପବିତ୍ର ମଣିଲି । ପାର୍ବତୀୟ ବାୟୁରେ ଶରୀର ସ୍ନିଗଧ୍‌ବୋଧ ହେଲା । ବିଚିତ୍ର ଦୃଶ୍ୟ ଦର୍ଶନରେ ମନ ମଧ୍ୟ ଉଲ୍ଲାସରେ ପୂରିଉଠିଲା । ମୋର ବହୁଦିନର ଆକାଙ୍‌କ୍ଷା ପୂର୍ଣ୍ଣତା ଲାଭ କଲା । ମହାଯୋଗୀ ତୁଲ୍ୟ ମହାଚିରକୁ ପ୍ରଣାମ କରି, ହୃଦୟର ଭକ୍ତି ଏବଂ ପ୍ରାଣର କୃତଜ୍ଞତା ଜଣାଇ ତାହାଠାରୁ ବିଦାୟ ଗ୍ରହଣ କଲି । ଏ ବିଦାୟ କେବଳ ଦେହର ବିଦାୟ, ମନର ବିଦାୟ ନୁହେଁ । ଗିରିପ୍ରକୃତ ଯେପରି ଭୟର ଆଗାର, ସେହିପରି ଶାନ୍ତିର ଆଧାର, ଆନନ୍ଦର ସ୍ୱର୍ଗ ଏବଂ ସୌନ୍ଦର୍ଯ୍ୟର ଗନ୍ତାଘର । ପର୍ବତ ଜ୍ଞାନର ଭଣ୍ଡାର, ତାହାର ଦେବମୋହନ, ମୁନିମୋହନ ବେଶ ଦର୍ଶନ ଜଗତରେ ଦୁର୍ଲ୍ଲଭ । ତାହା ସର୍ବବିଦ୍ୟାର ବିଶ୍ୱବିଦ୍ୟାଳୟ-। ଧର୍ମ, ନୀତି, ସଭ୍ୟତା ଏବଂ ଉନ୍ନତିର ସମନ୍ୱୟ ସ୍ଥଳ । ତାହା ତୀର୍ଥ ପରି ପବିତ୍ର, ଦେବତା ତୁଲ୍ୟ ପୂଜ୍ୟ, ବରେଣ୍ୟ ଏବଂ ନିତ୍ୟ ନମସ୍ୟ । ଯୋଗୀ ୠଷିମାନେ ଯେଉଁ ଅଦ୍ଭୁତ ଆଦର୍ଶ ଦେଖାଇ ଜଗତକୁ ସ୍ତବଧ, ମୁଗଧ୍‌ କରିଯାଇଅଛନ୍ତି, ସେହି ମହାନ୍‌ ଆଦର୍ଶ ଏହିଠାରୁ ଜାତ ହୋଇଅଛି । ତାଙ୍କର ସକଳ ପ୍ରକାର ଶିକ୍ଷା, ଗବେଷଣା ଏବଂ ଉଦ୍ଭାବନର ଆଦି ଅନ୍ତୁଡିଶାଳୀ ଏହି ବିଜନ ଗିରିଗୁହା । ତାଙ୍କର ଧର୍ମ, ବିଜ୍ଞାନ, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ ପ୍ରଭୃତି ସକଳ ସାଧନା ଏହିଠାରେ ପରିପକ୍ୱ ହୋଇଅଛି । ଏ ମହମିତ ସ୍ଥାନପ୍ରଭାବରେ ପାପୀ ଧାର୍ମିକ ହୁଏ, ମୂର୍ଖ ପଣ୍ଡିତ ହୁଏ, ଅଜବ କବି ହୁଏ ଏବଂ ମାନବ ଦେବତା ହୁଏ । ଏହାର ପ୍ରତି ପ୍ରସ୍ତରଖଣ୍ଡ ମଧ୍ୟରେ, ପ୍ରତି ପରମାଣରୁରେ ଜଗତର କୋଟି ଇତିହାସ ଲୁଚି ରହିଅଛି । ପର୍ବତ ନାନାଭାବରେ ଜଗତର ମହୋପକାର ସାଧନ କରୁଅଛି । ମାନବଜୀବନରେ ଏହାର ପ୍ରଭାବ ଅସୀମ । ସେଥି ପାଇଁ ପୂର୍ଣ୍ଣମାନବ ଅବତାର ଶ୍ରୀକୃଷ୍ଣ ଦେବପୂଜା ଛାଡି ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ପାଇଁ ନିଜର ପିତା ନନ୍ଦରାଜାଙ୍କୁ ଉପଦେଶ ଦେଇଥିଲେ । ଗିରିର ମହିଁମା ଦେବମହିଁମାଠାରୁ ବଳେଁ । ତାହାର ପ୍ରତ୍ୟେକ ରେଣୁ କୈବଲ୍ୟକିଣିବା ପରି ଶିରୋଧାର୍ଯ୍ୟ । ନିୟମାଗିରି, ତୋର ସତ୍ୟ ଶିବ ରୁନ୍ଦ୍ରସୁନ୍ଦର ମହାମୂର୍ତ୍ତ ଦର୍ଶନ କରି ମୋର ମାନବ ନେତ୍ର ସାର୍ଥକ ହେଲା, ଧନ୍ୟ ହେଲା । ତୋର ଏ ରୂପ ଦର୍ଶନ ମୋ ଜୀବନରେ ପ୍ରଥମ ଦର୍ଶନ ଏବଂ ଶେଷ ଦର୍ଶନ । ତୁ ଯୁଗେ ଯୁଗେ ଅଛୁ ଓ ରହିବୁ; ମାତ୍ର ମୁଁ ଦୁଇଦିନେ ମିଳେଇଯିବି । ମୋର କ୍ଷୁଦ୍ର ଜୀବନ ବାତ୍ୟାଗର୍ଭସ୍ଥ । ତୈଳଶୂନ୍ୟ ଦୀପଶିଖା ପରି ଏହି କ୍ଷଣି ଅଛି- ଏହି କ୍ଷଣି ନାହିଁ । ତୋର ଉଲ୍ଲାସବୋଳା ମଧୁର ମୋହନ ମୂର୍ତ୍ତି ଆଉ ମୋ ନେତ୍ରରେ ଅତିଥି ହେବ ନାହିଁ । ପ୍ରତ୍ୟୟ ଯେ ତୋର ଦର୍ଶନ ପାଉଛନ୍ତି ସେ ମହାଭାଗ୍ୟଧର । ତୋ ବକ୍ଷରେ ମୁଁ ସ୍ୱପ୍ନସ୍ୱର୍ଗର ମୁଖାନନ୍ଦ ଉପଭୋଗ କରୁଥିଲେ । ଏତିକିରେ ତାହା ଶେଷ ହେଲା । ଏବେ ଦଗ୍‌ଧ ସଂସାରକୁ ଫେରିଯିବି । ତୁମ୍ଭର ଶରୀର କଠୋର ହେଲେ ସୁଦ୍ଧା ଅନ୍ତସ୍ଥଳ ଦୟାରେ ସକଳ । ଦୟାବହ ମନେ ରଖିଥିବ ଗିରରାଚ, ଏବେ ବିଦାୟ ନେଲି । ସ୍ୱସ୍ତି, ସ୍ୱସ୍ତି, ସ୍ୱସ୍ତି । ତୁମ୍ଭର ପବିତ୍ର ଦେବ ଶରୀରରେ ମୁ ମୂର୍ଖପଣରେ ପଦାଘାତ କରିଅଛି, ସେଥିପାଇଁ ମୁଁ ଦୁଃଖର ସହିତ ତୁମ୍ଭ ଚରଣରେ କ୍ଷମାପ୍ରାର୍ଥୀ, ମୋତେ କ୍ଷମାପାତ୍ର ମଣି କ୍ଷମା କର, କ୍ଷମାମୟ ! ମୁଁ ଜାଣୁ ଜାଣୁ ଅପରାଧ କରିଅଛି, ସେଥିପାଇଁ ମୁଁ ଏକାନ୍ତ ଅନୁତପ୍ତ । ଆଶୀର୍ବାଦ କର, ବର୍ଷା ବାରିଧାରାରେ ତୁମ୍ଭର ମଳିନତା ଧୋଇଗଲା ପରି ତୁମ୍ଭ ଆଶୀର୍ବାଦ ଗଙ୍ଗାଜଳରେ ମୋର ପାପ, ତାପ ଧୋଇଯାଉ । ତୁମ୍ଭ ପୂଜାଫୁଲ ପରି ମୋତେ ନିର୍ମଳ ସୁନ୍ଦର ଏବଂ ପବିତ୍ର କରିଦିଅ, ମୋର ଏତିକି ଶେଷ ଭିକ୍ଷା ।

 

ଆସିବାବେଳେ ଭଇଲ ଘାସବଣ ଭିତରେ ପଶିବାକୁ ହେଲା । ଭଇଲ ଘାସ ଖୁବ୍‌ଲମ୍ବା-। ଗୁଡକଙ୍କ ପରି ଫୁଲ କି ଫଳ କଅଣଗୁଡ଼ାଏ ତାହା ଦେହରେ ଗୁନ୍ଥି ହୋଇଥାଏ । ତାହା ଫୁଲ କି ଫଳ ବାରିହେବା ଦୁରୁହ । ତାହାର ସେହି ପ୍ରିୟ ଅଳଙ୍କାର ଗୁଡିକ ସେ ମୋ ଦେହରେ ପିନ୍ଧାଇଦେଲା । ନାଚାର ହୋଇ ଅଯାଚିତ ଦାନ ଗ୍ରହଣ କରିବାକୁ ହେଲା । ଲୁଗାରୁ ସେହି ଅଳଙ୍କାର ଗୁଡିକ ଛଡ଼ାଇବାକୁ ମୋର ଚାକରକୁ ଓଳିଏ ସମୟ ଲାଗିଥିଲା । ଘାସବଣଭିତରେ ସୁବର୍ଣ୍ଣବର୍ଣ୍ଣୀ କେଉଟି ମାଳ ଫୁଲ ବଡ଼ ବାହର ଦିଶୁଥାଏ । ବଣ ପାର ହୋଇ ଆମ୍ଭେମାନେ ପୂର୍ବୋକ୍ତ ଝିଙ୍କଗ୍ରାମ ନିକଟରେ ଉପସ୍ଥିତ ହେଲୁଁ । ଏହିଠାରୁ ନରବାହାନ ଦୋଳା ଛାଡିବାକୁ ହେଲା । ଆମ୍ଭେମାନେ ମୋଟରରେ ବସି ଜଗନ୍ନାଥଙ୍କ ଖମାରକୁ ଆସିଲୁଁ । ଏହାର ଅପର ନାମ ଡୁଙ୍ଗରଗଡ଼ ଖମାର । ନିୟାମଗିରି ଏବଂ ଦେବତା ଡୁଙ୍ଗର ମଧ୍ୟରେ ଖମାରଟି ଅବସ୍ଥିତ, ଯେପରି ଶୀତ ଗ୍ରୀଷ୍ମ ଦୁଇ ୠିତୁ ମଧ୍ୟରେ ବାସନ୍ତୀଲକ୍ଷ୍ମୀ ବିରାଜିତା, କିମ୍ବା ସତ୍ୟ, ଧର୍ମ ମଧ୍ୟରେ ନୀତିଦେବୀ ସମାସୀନା । ଏ ଖମାରଟି ଗୋଟିଏ ଆଦର୍ଶ କୃଷିକ୍ଷେତ୍ର । ଏଠାରେ ରାଜନଅର ପରି କୋଠା ବଙ୍ଗଳା ପ୍ରଭୃତି ଅଛି । ଏହା ଲାଞ୍ଜିଗଡ଼ର ଦାର୍ଜିଲିଙ୍ଗ । ସ୍ୱଚ୍ଛଝରଣା ଉପକଣ୍ଠରେ ଗଡ଼ଖାଇର ତୁଳନା ଧାରଣ କରିଅଛି । ରାଜାସାହେବ ଏଠାରେ ସମୟ ସମୟରେ ରହନ୍ତି । ଏଠାରେ କେତେକ ବଡ଼ ବଡ଼ ଅମାର ଏବଂ ଅମଲାମାନଙ୍କର ବସାଘର ଅଛି । ଗୋଟିଏ ଅମାରରେ କେବଳ ଧାନର ବିହନ ରଖାଯାଇଅଛି । ଧାନ ଚାଷର ବିସ୍ତୁତ ପରିମାଣ ଏହିଥିରୁ ଅନୁମେୟ । ଖମାରରେ ସମସ୍ତ ପ୍ରକାର ଶସ୍ୟ, ଦେଶୀ ବିଦେଶୀ ପନିପରିବା, ଆଖୁ, କପା, ପାନ ପ୍ରଭୃତିର ଚାଷ ହୁଏ । ଆଖୁ ବିସ୍ତୁତ ଭାବରେ ହୁଏ, ଛାଡ଼ ମଧ୍ୟ ପ୍ରସ୍ତୁତ ହୁଏ । ଆଖୁ କ୍ଷେତ୍ର ସୈନ୍ୟବ୍ୟୁହ ପରି ଦିଶେ । ଗଛମାନ ବୀରପୁରୁଷ ପରି ଅସିଯତ୍ର ସଞ୍ଚାଳନ କରି ଅସିପତ୍ରାନାମ ସାର୍ଥକ କରିଅଛି । କଲମୀ ଆମ୍ଭର ବିସ୍ତୁତ ବଗିଚା ବାଳିକାବିଦ୍ୟାଳୟ ପରି ଛୋଟ ଛୋଟ ଗଛ ଗୁଡ଼ିକର ସାଧନା ଆଶ୍ରମ ହୋଇଅଛି । ସାଧନା ପରିପକ୍ୱ ହେଲେ ସେମାନେ ତପଃ ଫଳ ରୂପ ଆମ୍ରଫଳ ପ୍ରାପ୍ତ ହେବେ । ଏଭଳି ଖମାର ପ୍ରତିଷ୍ଠା ରାଜ୍ୟର ଶ୍ରୀବୃଦ୍ଧିର ଲକ୍ଷଣ । ଏହାଦ୍ୱାରା ରାଜ୍ୟର ଆୟବୃଦ୍ଧି ହୁଏ ପୁଣି ଶ୍ରମିକମାନଙ୍କୁ କର୍ମଯୋଗାଇବା ସୁବିଧା ଜନକ । ବିଶେଷତଃ ସାଧାରଣ ପ୍ରଜାବର୍ଗର ଏହା କୃଷିଶିକ୍ଷାର ଶିକ୍ଷାକ୍ଷେତ୍ର । ଖମାର ଘରପାଖରେ ପାନବରଜ, ସେଥିରେ ଖୁବ୍‌ବଡ଼ ମହତାଯାନ ଏବଂ କ୍ଷୁଦ୍ର କପୂରିପାନ ଉଭୟ ହୁଏ । ଏଠାର ମାଟିରେ ଖୁବ ବଡ ବିଲାତିଆଳୁ ଉତ୍ପନ୍ନ ହେଉଥିଲା । ବରାହ, ଝିଙ୍କ ପ୍ରଭୃତିର ଉପଦ୍ରବ ହେତୁ ଆଳୁଫସଲ କରିହେଲା ନାହିଁ । ଖମାର ଘର ପାଖରେ ସୁନ୍ଦରଫୁଲ ବଗିଚା ଅଛି । ଗୋଲାପସୁନ୍ଦରୀ ନଗରରୁ ନିର୍ବାସିତ ହୋଇ ଏଠାରେ ମ୍ଲାନମୁଖରେ ଅବସ୍ଥାନ କରୁଅଛନ୍ତି; କିନ୍ତୁ ସେ ତ ରାଜଦର୍ଶନରୁ ବଞ୍ଚିତ ହେଉ ନାହିଁ, ଏହା ଅପେକ୍ଷା ଅଧିକ କି ନାଗରିକ ସୁଖ ଉପଭୋଗ ତାହାର ବାଞ୍ଛନୀୟ, ତାହା ସେହି ଏକା ଜାଣେ । ଶସ୍ୟଧ୍ୱଂସୀ ପଶୁପକ୍ଷୀମାନଙ୍କୁ ଘଉଡିବାପାଇଁ ରକ୍ଷିବୃନ୍ଦ ଠକା ବଜାନ୍ତି । ରାତ୍ରିରେ ଠକାଯନ୍ତ୍ରର ଠକ ଠକ ଶବ୍ଦରେ ଚାରିଆଡ ନିନାଦିତ ହୁଏ । ଲାଞ୍ଜଗଡ଼ରେ ଚାରିଗୋଟି ଖମାର ଅଛି- ଜଗନ୍ନାଥପୁର, ମହନଗୁଡ଼ା, ହରିହରପୁର ଏବଂ ବଳଭଦ୍ରପୁର । ଜଗନ୍ନାଥପୁର ଖମାର ଦେଖିସାରି ଆମ୍ଭେମାନେ ମହନଗଡ଼ା ଖମାର ଦେଖିବାକୁ ଗଲୁଁ । ସେଠାରେ ପ୍ରଚୁର ପରିମାଣରେ ଆଖୁଚାଷ ହୁଏ । ସେଠାରେ କର୍ମଚାରୀ ନିବାସ, ଗୁହାଳଘର, ଧାନଘର, ଚାଷଯନ୍ତ୍ରଘର ପ୍ରଭୃତି ଅଛି । ଘର ଗୁଡ଼ିକ ମୃତ୍ତିକା ନିର୍ମିତ । ରାଜା ମହୋଦୟ ସେଠାରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ନୂତନ ଖୋଳାଇଅଛନ୍ତି । ସେଥିରେ ମାଛ ପୋଷା ହୋଇଅଛନ୍ତି । ଉକ୍ତ ଖମାରରେ ଝରଜଳ ମାଡିବାର ସୁବ୍ୟବସ୍ଥା ହୋଇଅଛି । ମହନ ଗୁଡ଼ାରେ ଠକାର ଶବ୍ଦ ଶୁଣିଥିଲି । ବିବେକର ହୁଙ୍କାରରେ ପାପ ଛାଡିପଳାଇଲାପରି ଧାନବିଲରୁ ଦଳେ ଦଳେ ଶସ୍ୟଭକ୍ଷୀ ପକ୍ଷୀ ସେହି ଶବ୍ଦରେ ନସ୍ତବ୍ୟସ୍ତ ହୋଇ ଇତସ୍ତତଃ ଉଡି ପଳାଇଯାଆନ୍ତି ।

 

ରାଜା ମହୋଦୟ ଯେଉଁପରି କୃଷିପ୍ରିୟ, ସେହିପରି କୃଷିପଣ୍ଡିତ । କୃଷି କାର୍ଯ୍ୟରେ ତାଙ୍କର ଅଭିଜ୍ଞତା ଅସାଧାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ନାନାପ୍ରକାର ବିଦେଶୀୟ କଲମି ଗଛ ଆଣି ରୋପଣ କରି ଅଛନ୍ତି । ନିୟମିତ ରୂପେ ସେ ସମସ୍ତ ଖମାର ପରିଦର୍ଶନ କରନ୍ତି ତାହା ତାଙ୍କର ଅନ୍ୟତମ ପ୍ରଧାନ କର୍ତ୍ତବ୍ୟ । ରାଜନ୍ୟସମାଜରେ ତାଙ୍କ ପରି ନିରଳସ ରାଜପୁରୁଷ ପ୍ରାୟଶଃ ଦୁର୍ଳଭ । ଖରା, ବର୍ଷା, ଶୀତ କୁହୁଡ଼ି ନ ମାନି ପଦବ୍ରତରେ କୃଷିକ୍ଷେତ୍ରରେ ବୁଲି ସେ ସମସ୍ତ ପ୍ରକାର କୃଷିକାର୍ଯ୍ୟ ପୁଙ୍ଖାନୁପୁଙ୍ଖ ରୂପେ ତତ୍ତ୍ୱାବଧାନ କରନ୍ତି । ତାଙ୍କ ଉଦ୍ୟାନରେ ଫୁଲକୋବି, ବନ୍ଧାକୋବି, ବିଲାତିବାଇଗଣ ପ୍ରଭୃତି ବିଦେଶୀୟ ଫସଲ ଦର୍ଶନୀୟ ପଦାର୍ଥ ପରି ଖୁବ୍‌ ବଡ଼ ହୁଏ ଏବଂ ଅପେକ୍ଷାକୃତ ଅତିଶୀଘ୍ର ହୁଏ । କୃଷିକାର୍ଯ୍ୟ ରାଜାଙ୍କର ଗୋଟିଏ ଆମୋଦ । କେତେ ପ୍ରକାର ଉକ୍ତୃଷ୍ଟ ସାର ତାଙ୍କଦ୍ୱାରା ଉଦ୍ଭାବିତ ହୋଇ ବିଶେଷ ଫଳ ଦର୍ଶାଇଅଛି । ମହୁଲମଦର ଖଦାଡି କମଳାକ୍ଷେତ୍ରରେ ପ୍ରୟୋଗ କରି ଆଶାତୀତ ଫଳ ମିଳିଅଛି । ଏହିଠାରେ ସୂର୍ଯ୍ୟାସ୍ତ ହେଲା । ପାର୍ବତ୍ୟପ୍ରଦେଶର ସୂର୍ଯ୍ୟାସ୍ତ ଦୃଶ୍ୟ ଇନ୍ଦ୍ରଜାଲ ବିଦ୍ୟା ପରି ଯେଉଁ ଭଳି ବିସ୍ମୟୋତ୍ପାଦକ, ସେହିଭଳି ଆନନ୍ଦଦାୟକ । ସୂର୍ଯ୍ୟାସ୍ତ ସମୟରେ ବିପରୀତ ଦିଗସ୍ଥ ପର୍ବତ ସ୍ୱର୍ଣ୍ଣବର୍ଣ୍ଣରେ ରଞ୍ଜିତ ହୁଏ । ଅସ୍ତୋନ୍ମୂଖ ସୂର୍ଯ୍ୟଦେବ କ୍ରମେ ତଳକୁ ଯିବା ସମୟରେ ସେହି ସ୍ୱର୍ଣ୍ଣାଭି ପର୍ବତ ତଳୁ ଛାଡି ଛାଡି ଯାଉଥାଏ । ତାହା ସ୍ଥାନରେ ମୟୁରକଣ୍ଠିଆ ବର୍ଣ୍ଣ କାହୁଁ ଆସି ଅକସ୍ମାତ ଚିତ୍ରିତ ହୋଇ କ୍ରମଶଃ ଉପରକୁ ମାଡି ଚାଲିଥାଏ । ସୂର୍ଯ୍ୟକିରଣ ଗିରଚୂଡ଼ାରେ ଥିବାବେଳେ ଏକ ଅପୂର୍ବ ଦୃଶ୍ୟ ଆତ୍ମପ୍ରକାଶ କରେ । ପ୍ରତେ ହୁଏ ଯେପରି ପର୍ବତ ଆସମାନୀ ରଙ୍ଗର ପରିଚ୍ଛଦ ଏବଂ ସ୍ୱର୍ଣ୍ଣମୁକୁଟ ପିନ୍ଧି ରାଜବେଶ ଧରିଅଛି । ସତେ ଅବା କେଉଁ ଚିତ୍ରକର ଚିରସ୍ମରଣୀୟ ବିଦ୍ୟାବଳରେ ଅଦୃଶ୍ୟରେ ଥାଇ ଏଭଳି ଅ-କର ଅଙ୍କିତ କଳ୍ପନାଚିତ୍ର କିମ୍ବା ମାୟାଚିତ୍ର ଅଙ୍କିଯାଉଅଛି । ଦେଖୁଁ ଦେଖୁଁ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡର ଏକମାତ୍ର ସ୍ୱର୍ଣ୍ଣଦୀପ ଦପ୍‌କରି ନିଭିଗଲା । ପ୍ରକୃତିର ଆଖି ଫୁଟିଗଲା । ସଙ୍ଗେ ସଙ୍ଗେ ସେ ମାୟାଦୃଶ୍ୟ କେଉଁଆଡ଼େ ଉଭେଇଗଲା । ପର୍ବତ ରାଜାବେଶ ଛାଡି ଧୂସର ବିଭୂତିବୋଳା ଯୋଗିବେଶ ଧାରଣକଲା । କ୍ଷଣକେ ଭୋଗୀ, କ୍ଷଣକେ ଯୋଗୀ ଏ କୌତୁକ ବିଷମ ସମସ୍ୟାମୟ-। ପରକ୍ଷଣରେ ପୁଣି କୃଷ୍ଣବର୍ଣ୍ଣର କୁହୁଡ଼ି ମାଡିଯାଇ ପର୍ବତକୁ ଅସ୍ପଷ୍ଟ କରିଦେଲା । ତାହା କଳା କୁହୁଡି ନୁହେଁ, ବୋଧ ହୁଏ ଦିବାଦେବୀ ଏବଂ ପଦ୍ମିନୀ ସୁନ୍ଦରୀ ଦୁଇ ସପତ୍ନୀଙ୍କର ଶୋକବୋଳା ବିରହଶ୍ୱାସ । ଶେଷରେ ଚରାଚର ସୃଷ୍ଟି ଅନ୍ଧକାରସାଗରରେ ବୁଡିଗଲା । ପର୍ବତ ଅନ୍ଧାରଗଦା ପରି ଦେଖାଯାଇ କ୍ରମେ ଅସ୍ତିତ୍ୱ ହରାଇ ବସିଲା । ବୋଧ ହୁଏ କାବ୍ୟତାରା ଅଳକିନୀ ରଜନୀଗଣୀ କୃଷ୍ଣବସ୍ତ୍ରରେ ଆପାଦମସ୍ତକ ଆବୃତ୍ତା ହୋଇ ସେହି ଅନ୍ଧାର ଗଦାକୁ ଖେଳାଇଦେଇ, ବିଶ୍ୱାସାରା ମେଲାଇଦେଲେ । ପଥ ନ ଦିଶିବାରୁ ଆମ୍ଭମାନଙ୍କର ମୋଟରଯାନ କ୍ରୁଦ୍ଧ ଦାନବ ପରି ଅଗ୍ନିବର୍ଷୀ ରକ୍ତନେତ୍ରରେ ଚାହିଁବାକୁ ଲାଗିଲା । ସେହି ଆଲୋକରେ ଆମ୍ଭେମାନେ ଆସି ବସାରେ ପହୁଞ୍ଚିଲୁ । ପୁଷ୍ପକ ରଥର ସାରଥି ରଥ ଫେରାଇ ନେଇଗଲା ।

 

ତହିଁ ପରଦିନ ଅପରାହ୍ନରେ ରାଜାଙ୍କର ମୋଟର ଆସିଲା । ମୁଁ ରାଜବାଟୀ ଅଭିମୁଖରେ ଗମନ କଲି, ସଙ୍ଗରେ ସୋମନାଥ ଗଲା । ପ୍ରଥମେ ପୋଲିସ ଥାନା ପଡିଲା, ସବ୍‌ଇନ୍‌ସପେକ୍‌ଟର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଦାସ ଥାନାର ପ୍ରଧାନ କର୍ମଚାରୀ । ସେ ଜଣେ ଯୋଗ୍ୟବ୍ୟକ୍ତି, ଯେଉଁପରି ଚତୁର, ସେହିପରି କର୍ମଠ, ଲାଞ୍ଜିଗଡର ଜେଲଖାନା ନାହିଁ, ଥାନାର ଗାରଦହିଁ ଜେଲଖାନା ସେଠାରେ କଏଦିମାନେ ସାତଦିନ ରହିବାର ନିୟମ ଅଛି । ଅଧିକ କାଳ ଜେଲଦଣ୍ଡ ପ୍ରାପ୍ତ କଏଦିମାନେ ଭବାନୀପାଟଣା ଜେଲଖାନାକୁ ପ୍ରେରିତ ହୁଅନ୍ତି । ଥାନା ନିକଟରେ ଗୋଟିଏ ଅପରପ୍ରାଇମେରୀ ସ୍କୁଲ ଅଛି । ସେଠାରେ ବାଳକ ବାଳିକା ଉଭୟ ପଢନ୍ତି । ସ୍କୁଲର ଛାତ୍ର ଛତ୍ରୀ ସଂଖ୍ୟା ୧୨୩ । ସେଥିମଧ୍ୟରୁ ବାଳକ ୮୬ ଜଣ ଏବଂ ବାଳିକା ୩୨ । ଅତୀବ ଆନନ୍ଦର ବିଷୟ ସ୍ମୁଲରେ ନୀଚଜାତୀୟ ବାଳିକା ୩୨ ଜଣ ଅଧ୍ୟୟନ କରନ୍ତି । ଚାରିଜଣ ଶିକ୍ଷକଙ୍କଦ୍ୱାରା ଶିକ୍ଷା କାର୍ଯ୍ୟ ପରିଚାଳିତ ହୁଏ । ସ୍କୁଲଟି କ୍ରମେ ଉନ୍ନତି ଆଡ଼କୁ ଅଗ୍ରସର ହେଉଅଛି । ପୂର୍ବେ ମାଟିଘରରେ ସ୍କୁଲ ହେଉଥିଲା । ରାଜା ମହୋଦୟ ସ୍କୁଲ ପାଇଁ ଗୋଟିଏ ସୁନ୍ଦର ପ୍ରଶସ୍ତ ପକ୍‌କାଘର ନିର୍ମାଣ କରାଇ ଦେଇଅଛନ୍ତି । ଦୁଇଦିନ ପୂର୍ବରୁ ଘରଟି ପ୍ରତିଷ୍ଠା ହେବାର ଦେଖିଥିଲି । ତଦୁପଲକ୍ଷେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଭୁରି ମିଷ୍ଟାନ ଭୋଜନ ଦିଆଯାଇଥିଲା । ସ୍ୱୟଂ ରାଜାସାହେବ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଶୃଙ୍ଖଳାରେ ସମ୍ପାଦନ କରିଥିଲେ । ସ୍କୁଲ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିବା ବିଷୟ ଶିକ୍ଷକମାନଙ୍କଠାରୁ ଶୁଣିଥିଲି । ସ୍କୁଲ ଲାଇବ୍ରେରୀକୁ ସେ ଅନେକ ପୁସ୍ତକ ଦାନ କରିଅଛନ୍ତି । ଲାଇବ୍ରେରୀରେ ଯେତେ ପୁସ୍ତକ ଅଛି, ଗୋଟିଏ ମିଡଲ ଭର୍ଣ୍ଣାକୁଲ୍ୟାର ସ୍କୁଲରେ ତେତେ ପୁସ୍ତକ ଥିବାର ଅନୁମାନ କରାଯାଏ ନାହିଁ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିଧାନ ସ୍କୁଲ ଲାଇବ୍ରେରୀରେ ଦେଖି ଆନନ୍ଦିତ ହେଲି । ସ୍କୁଲ ପରେ ଡାକ୍ତରଖାନା । ଜଣେ ସବ୍‌ଏସିଷ୍ଟାଣ୍ଟ ସର୍ଜନ ରୋଗୀମାଙ୍କୁ ଚିକିତ୍ସା କରନ୍ତି । ଡାକ୍ତରବାବୁଙ୍କର ଚିକିତ୍ସା ଏବଂ ବ୍ୟବହାରର ସୁଖ୍ୟାତି ଅନେକ ଲୋକଙ୍କ ମୁଖରୁ ମୁଁ ଶୁଣିଅଛି । ଡାକ୍ତରଖାନା ପରେ ଗୋଟିଏ ବଜାର, ସେଠାରେ ପ୍ରତିଶନିବାର ଦିନ ହାଟ ବସେ । ହାଟରେ ବିକାହେଉ ଥିବା କାକୁଡ଼ି ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଅଛି-। କାକୁଡି ଗୁଡାକ କାଠଗଡ଼ ପରି ମୋଟ । ଦେଖିଲେ ଦର୍ଶନୀୟ ପଦାର୍ଥରୂପେ କିଣିବାକୁ ଇଚ୍ଛାହୁଏ । ତାହା ପୁଣି ଖୁବ୍‌ ଶସ୍ତା ପଇସାରେ ଦୁଇଟା । ମୋଗଲବନ୍ଦୀର ଯେ କୌଣସି ସ୍ଥାନରେ ସେ ଦୁଇଟାର ମୁଲ୍ୟ ଦୁଇ ଅଣାରୁ ଅଧିକ ହେବ । ବଜାରଟି କ୍ଷୁଦ୍ର; ମାତ୍ର ସୁନ୍ଦର ଏବଂ ପରିଷ୍କାର ପରିଚ୍ଛନ୍ନ । ରାଜଧାନୀ ଦେଖି ଦେଖି ଅଗ୍ରସର ହେଲି । ରାଜାସାହେବ ତାକୁ ଗୋଟିଏ କ୍ଷୁଦ୍ର ସହର ପରି ସୁନ୍ଦର ଏବଂ ସଜ୍ଜିତ କରିଅଛନ୍ତି । ଏଠାରେ ଦୁଇଜଣ ମାରବାଡ଼ି ବ୍ୟବସାୟୀ ଅଛନ୍ତି । ସାହସ, ଅଧ୍ୟବସାୟ ଏବଂ କଷ୍ଟସହିଷ୍ଣୁତା ହେତୁ ସେ ଜାତି ବଡ଼ ହୋଇଅଛି । ‘‘ବାଣିଜ୍ୟେ ବସତେ ଲକ୍ଷ୍ମୀ’’ ଏ ଉକ୍ତିକୁ ସେହିମାନେ ହିଁ ସାର୍ଥକ କରିଅଛନ୍ତି । ସେମାନଙ୍କ ଆଦର୍ଶ ଦେଖି ସୁଦ୍ଧା ଆମ୍ଭମାନଙ୍କର ଚେତନା ହେଉ ନାହିଁ, ଏହାକୁ ଦୁର୍ଭାଗ୍ୟର ବିଷୟ ନ କହି ଆଉ କଣ କୁହାଯିବ । ବାଣିଜ୍ୟକୁ ଅନେକେ ଘୃଣାଚକ୍ଷୁରେ ଦେଖନ୍ତି, ଏହା ମଧ୍ୟ ଗୋଟାଏ ମାରାମୁକ କୁସଂସ୍କାର । ବାଣିଜ୍ୟ ଉଚ୍ଚ ବୈଶ୍ୟବୃତ୍ତି, ତାହା ହୀନବୃତ୍ତି ନୁହେଁ । ଯେଉଁ ବୃତ୍ତି ଦରିଦ୍ରକୁ ଲକ୍ଷପତି, କୋଟିପତି କରିପାରେ, ତାହାକୁ ଘୃଣ୍ୟ ମଣିବା ବିରାଟ ମୁର୍ଖତା ନୁହେଁ କି ? କୃଷି, ଶିଳ୍ପ, ବାଣିଜ୍ୟ ଦେଶର ଜୀବନ, ତାକୁ ଯେ ଇତର ମଣେ ସେହି ଏକା ମହା କତର ।

 

ଆମ୍ଭେମାନେ ଯାଇ ଗଡ଼ଖାଇ ପାଖରେ ପହଞ୍ଚିଲୁଁ । ଚାରି ପାଖରେ ବିସ୍ତୀର୍ଣ୍ଣ ଜଳପ୍ରାଚୀର, ମଧ୍ୟରେ ରାଜହର୍ମ୍ୟ; ତାହା ଘନପରିଧି ବେଷ୍ଟିତ ପୂର୍ଣ୍ଣଚନ୍ଦ୍ରର ଉପମା ଧାରଣ କରିଅଛି-। ଖାଇ ଖୁବ୍ ଗଭୀର, ସ୍ଥାନେ ସ୍ଥାନେ ୧୦।୧୨ ହାତ ପାଣି ଅଛି । ସ୍ଥଳ ବିଶେଷରେ କୁମୁଦ କହ୍ଲାର ପ୍ରଭୃତି ଜଳପୁଷ୍ପ ପ୍ରସ୍ଫୁଟିତ ହୋଇ ଜଳକୁ ତାରକିତ କରିଅଛି । ଖାଇ ଭିତରକୁ ଝରଜଳ ଆସିବାର ବାଟ ଅଛି ଏବଂ ଜଳ ଅଧିକ ହେଲେ ବାହାରିଯିବାର ବାଟ ମଧ୍ୟ ଅଛି । ଖାଇଟି ନଗରାରାଣୀଙ୍କର କଟିମେଖଳା ପ୍ରାୟ ମନୋରମ ଦିଶୁଅଛି । ଖାଇର ଦୁଇ ତୀରରେ କଦଳୀ, କମଳା ପ୍ରଭୃତି ତରୁଶ୍ରେଣୀ ଜଳ ମଧ୍ୟରେ ନିଜ ରୁପର ପ୍ରତିବିମ୍ବ ଦେଖି ମୁଗ୍‌ଧ ହେଉଅଛନ୍ତି । ସୋରିଷକ୍ଷେତ୍ର ସ୍ୱର୍ଣ୍ଣପୁଷ୍ପରେ ମଣ୍ଡିତ ହୋଇ ନଗରୀଲକ୍ଷ୍ମୀଙ୍କର ପୀତ ଦୁକୁଜ ଶୁଖିଲା ପରି ପ୍ରତୀତ ହୁଏ । ବେଳେ ବେଳେ ପାର୍ବତ୍ୟବାୟୁ ବହିଆସି ଜଳଦେବୀଙ୍କର ଚରଣ ଚୁମ୍ବନ କରିଯାଉଅଛି । ପବନ ସ୍ପର୍ଶରେ କ୍ଷୁଦ୍ର ହଇରା ସଞ୍ଚାରିତ ହୋଇ ଅସଂଖ୍ୟ କୃଷ୍ଣଦେଣୀ ସୃଷ୍ଟି କରୁଅଛି । ତେତେବେଳର ସେ ଶୋଭାର ପଟାନ୍ତର ନାହିଁ । ସତେ ଯେପରି ରାଜପୁରୀ ସ୍ନାନାନ୍ତେ କୁଞ୍ଚିତ କେଶରାଶି ମୁକୁଳାଇ ରୌଦୁରେ ବସି ତାହା ଶୁଖାଉଅଛନ୍ତି । ଅଳ୍ପକ୍ଷଣରେ ମୋଟର ଯାଇ ରାଜସିଂହଦ୍ୱାର ସମ୍ମୁଖରେ ଉପନୀତ ହେଲା ।

 

ରାଜା ମହୋଦୟ ସିଂହଦ୍ୱାର ଆଗରେ ବୁଲୁଥିଲେ । ଚିନ୍ତାଶୀଳ ମୂର୍ତ୍ତି, ବୋଧ ହୁଏ ତାଙ୍କର ମନ କୌଣସି କାର୍ଯ୍ୟ କରୁଥିଲା । ରାଜମାନ ତ ସବୁବେଳେ ଚିନ୍ତାଭାଗତ୍ରାନ୍ତ । ସମସ୍ତେ ନିଜର ଗୋଟିଏ ଜୀବନ ପାଇଁ ଚିନ୍ତା କରନ୍ତି; କିନ୍ତୁ ରାଜଚିନ୍ତା କୋଟିଏ ଜୀବନ ପାଇଁ । ରାଜା ଦୁର୍ବହ ଭାଉ ବହନ କରନ୍ତି, ଏହାହିଁ ରାଜସୁଖ । ତେବେ କଣ ରାଜପଦରେ ମୁଖ ନାହିଁ ? ଏହାର ଉତ୍ତରରେ ବୋଲାଯାଇପାରେ ଯେ, ହଁ, ଅବଶ୍ୟ ଅଛି । ସେହି ଦୁର୍ବହଭାର କହିବା ଭଳି ଶକ୍ତି ତାଙ୍କୁ ବିଧାତା ଦେଇଅଛନ୍ତି । ବିଧିଦତ୍ତ ଏହି ମହାଦାନ ହିଁ ରାଜାଙ୍କର ମୁଖ । ରାଜା ମହୋଦୟ ଆମ୍ଭମାନଙ୍କୁ ନେଇ ସିଂହଦ୍ୱାର ଅପରପାର୍ଶ୍ୱସ୍ଥ ଗୋଟିଏ ଅସ୍ଥାୟୀ ବୈଠକଖାନାରେ ବସିବାକୁ ଆଦେଶ କଲେ ଏବଂ ନିଜେ ମଧ୍ୟ ବସିଲେ । ସିଂହଦ୍ୱାରର ସିଂହଦ୍ୱାୟ ଯାଇ ଅଧାସ୍ୱର୍ଗରେ ଅଛନ୍ତି । ବନକ୍ଷତ୍ରିୟର ମହତ୍ତ୍ୱ ବୁଝି ରାଜକ୍ଷତ୍ରିୟ ତାଙ୍କୁ ଉଚ୍ଚାସନରେ ବସାଇଅଛନ୍ତି । ସିଂହଦ୍ୱାୟ ଦ୍ୱାର ଉପରସ୍ଥ କୋଠା ଉପରେ ଦ୍ୱାରପାଳ ରୂପେ ବିଦ୍ୟାମାନ ଅଛନ୍ତି । ସିଂହଦ୍ୱାରରେ କବାଟ ନାହିଁ । ସେଥିରେ ବିଶେଷତ୍ତ୍ୱ ଅଛି, ରାଜଦ୍ୱାର ଚିର ଅବାରିତ, ଏହାହିଁ ପ୍ରକାଶ ପାଉଅଛି । ପୁରୁଣା ନଅର ଭଙ୍ଗା ହୋଇ ନୂତନ ନଅର ନିର୍ମିତ ହେଉଅଛି । ସେଥିପାଇ ରାଜାସାହେବ ଏହି ଅସ୍ଥାୟୀ ଘରଟିକୁ ସଂକ୍ଷିପ୍ତ ବୈଠକଖାନା କରିଅଛନ୍ତି । ବୈଠକଖାନାର ତିନି ପାଖରେ ଖଟଣୀ ସେବକ ପରି ପରି ଶତବର୍ଗ ତତ୍ତୁ ସ୍ୱର୍ଣ୍ଣଛତ୍ର, ସ୍ୱର୍ଣ୍ଣ ଆଲଟ ଧରି ଉଭା ହୋଇଅଛନ୍ତି । ଆହୁରି ନାନା ପ୍ରକାର ଫୁଲ ମଧ୍ୟ ଫୁଟି ରାଜସେବାରେ ନିଯୁକ୍ତ ଅଛନ୍ତି । ଘର ମଧ୍ୟରେ ଗୋଟିଏ ପତ୍ରପୁଷ୍ପସୁସଜ୍ଜିତ ଟେବୁଲ ଏବଂ କେତୋଟି ଚୌକି ପଡ଼ିଅଛି । ଟେବୁଲ ଉପରେ ରାଶି ରାଶି ପୁସ୍ତକ ସଜ୍ଜିତ । ରାଜା ମହୋଦୟ ନିୟମିତ ପୁସ୍ତକ ପାଠକ । ତାଙ୍କ ବିଶାଳ ଲାଇବ୍ରେରୀରେ ଓଡ଼ିଆ, ବଙ୍ଗଳା, ଇଂରେଜୀ ଏବଂ ହିନ୍ଦୀ ପୁସ୍ତକମାନ ସ୍ତରେ ସ୍ତରେ ସଜ୍ଜିତ ହୋଇ ରହିଅଛି । ସେଥି ମଧ୍ୟରେ ଅନେକ ଦୁର୍ଲ୍ଲଭ ଏବଂ ମୂଲ୍ୟବାନ୍ ପ୍ରାଚୀନ ପୁସ୍ତକ ମଧ୍ୟ ଅଛି । ଓଡ଼ିଆ ଭାଷାରେ ଖଣ୍ଡିଏ ନୂତନ ପୁସ୍ତକ ପ୍ରକାଶିତ ହେଲା ମାତ୍ରେ, ତାହା; ଆଣି ପାଠାଗାରରେ ରଖାଯାଉଅଛି । ରାଜା ସାହେବଙ୍କ ସହ ଅନେକ କଥାବାର୍ତ୍ତା ହେଲା । ସାହିତ୍ୟ ଏବଂ ଶିକାର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କଥା ପ୍ରସଙ୍ଗରେ ଗତ ଦିନର ବାଘ ବଳଦମାରିବା କଥା ପଡ଼ିଲା । ରାଜା ମହୋଦୟ କହିଲେ-ବଳଦଟା ସେଠାରେ ମରିଯାଇଥିଲେ ମୁଁ କାଲି ବାଘ ମାରିବାକୁ ଯାଇଥାଆନ୍ତି; ମାତ୍ର ବଳଦକୁ ଦରମରାକରି ବାଘ ପଳାଇ ଯାଇଥିଲା । ସନ୍ଧ୍ୟାବେଳେ ପୁଣି ଆସି ସେଟାକୁ ଟାଣିଓଟାରି ଖାଆନ୍ତା । ଧର୍ମବିରୁଦ୍ଧ, ନିଷ୍ଠୁର ଦୃଶ୍ୟ ଆଖି ଆଗରେ ଦେଖିବା ଅସହ୍ୟ; ସୁତରାଂ ମୁମୂର୍ଷୁ ବଳଦକୁ ସେଠାରୁ ଆଣି ଯଥେଷ୍ଟ ଚିକିତ୍ସା କରାଗଲା; ମାତ୍ର ବାଘ ତାର ତଣ୍ଟି ଫୁଟାଇଦେଇଥିବାରୁ ସେ ବଞ୍ଚିଲା ନାହିଁ । କାଲି ଶିକାରକୁ ଯାଇଥିଲେ ଆପଣଙ୍କୁ ସଙ୍ଗରେ ନେଇଯାଇଥାଆନ୍ତି-ଆପଣ ବାଘ ଶିକାର ଦେଖିଥାଆନ୍ତେ ।’ ମୁଁ କହିଲି-‘ଭାରତବର୍ଷ ମାସିକ ପତ୍ରିକାରେ ଆଖେଟକ ଆଖ୍ୟଧାରୀ ଜଣେ ପ୍ରସିଦ୍ଧ ଶିକାରୀର ବ୍ୟାଘ୍ର ଶିକାର କାହାଣୀ ପ୍ରଢ଼ିଥିଲି । ବ୍ୟାଘ୍ର ଶିକାର ବଡ଼ ସଙ୍କଟ ବ୍ୟାପାର । ରାଜା ସାହେବ କହିଲେ ଶିକାରୀକୁ ଏହି କଳାହାଣ୍ଡି ବଣରେ ବାଘ ମାରିଥିଲା । ତାହା ସମ୍ବାଦ ପତ୍ରମାନଙ୍କରେ ପ୍ରକାଶିତ ମଧ୍ୟ ହୋଇଥିଲା । ମୁଁ କହିଲି-ମୁଁ ତାହା ପଢ଼ିଥିଲି; ମାତ୍ର ବିସ୍ମୟର ବିଷୟ ଯେ, କେତେ କେତେ ବଡ଼ ବଡ଼ ମହାବଳ ବାଘକୁ ମାରି ବହୁ ସୁଖ୍ୟାତି ଅର୍ଜନ କରିଥିଲେ, ସେହି ସିଦ୍ଧଲକ୍ଷ୍ୟ ପ୍ରବୀଣ ଶିକାରୀଙ୍କୁ ବାଘ କିପରି ମାରିଲା । ରାଜା କହିଲେ- ‘‘ସେ ବାଘ ମାରିବା ପାଇଁ ପଲାରେ ଜଗି ବସିଥିଲେ । ବାଘ ଆସିବାରୁ ଚାବି କଲେ । ସେ ଗୁଳି ବାଘ ଦେହରେ ଫୁଟି ଯାଇଥିଲେ ବାଘ ସେହିକ୍ଷଣି ମରିଯାଇଥାଆନ୍ତା; ମାତ୍ର ଗୁଳି ବାଘ ଖୁଆ ତଳେ ଘଷିହୋଇ ବାହାରିଗଲା । ସେ ଗୁଳିର ତେଜରେ ବାଘ ଛାନିଆହୋଇ ମୂର୍ଚ୍ଛିତ ହେଲା । ଶିକାରି ତାକୁ ମୃତ ଜ୍ଞାନ କରି ପଲାରୁ ଓହ୍ଲାଇ ଆସିଲେ । ଏଣେ ତେତିକିବେଳେ ବାଘର ମୂର୍ଚ୍ଛା ଭାଙ୍ଗିଗଲା । ସେ ହଠାତ୍ ଉଠିପଡ଼ି ଶିକାରୀର ମୁଣ୍ଡ ମୋଡ଼ିଦେଇ ତାଙ୍କୁ ଖଣ୍ଡେ ଦୂରକୁ ଫିଙ୍ଗିଦେଇ ବାହାରିଗଲା । ମୃତ ଶିକାରୀଙ୍କର ନାମ-ବାରିଷ୍ଟର କୁମୁଦନାଥ ଚୌଧୁରୀ ।’ ଏହି ଭୀଷଣ ଘଟଣା ଶୁଣି ଭୟରେ ମୋର ଦେହ ଥରିଉଠିଲା । ଭାବିଲି, ମନୁଷ୍ୟ ଜାଣୁ ଜାଣୁ ଅବ୍ୟାପାରରେ ବ୍ୟାପାର କରିବାକୁ ଯାଏ କାହିଁକି ? କ୍ଲୀବତା କାପୁରୁଷର ଳକ୍ଷଣ; ସୁତରାଂ ସାହସ ଆବଶ୍ୟକ ? ମାତ୍ର ଅତି ସାହସ ଅଶ୍ରେୟସ୍ୱର, ତାହା ବାଞ୍ଛନୀୟ ନୁହେଁ । ନିୟତଃ କେନ ବାଧ୍ୟତେ । ମିନିଟିଏ କି ଦୁଇମିନିଟି ଅପେକ୍ଷା କରିଥିଲେ ବାଘର ମୂର୍ଚ୍ଛା ଭଙ୍ଗପରେ ସେ ତାକୁ ଅକ୍ଲେଶରେ ମାରିପାରିଥାଆନ୍ତେ; ମାତ୍ର ସେ ଉଲ୍ଲାସରେ ହତଜ୍ଞାନ ହୋଇ ଶୀଘ୍ର ପଲାରୁ ଓହ୍ଲାଇପଡ଼ିବାରୁ ଶିକାରର ଶିକାର ହୋଇ ପ୍ରାଣ ହରାଇଲେ ।

 

ରାଜା ମହୋଦୟଙ୍କୁ ମୁଁ ପଚାରିଲି-‘ବଳଦକୁ ଦରମରା କରିଥିବା ବାଘଟା ବୋଧ ହୁଏ ସାନ ବାଘ କିମ୍ବା ସେ ମହାବଳ ବାଘ ନୁହେଁ, ଅନ୍ୟ କ୍ଷୁଦ୍ର ଜାତୀୟ ବାଘ ହୋଇଥିବ ।’ ରାଜା ମହୋଦୟ ତହୁଁ କହିଲେ ‘ନା, ସେ ବୃହତ୍ ମହାବଳ ବାଘ । ବଳଦକୁ ସେଠାରୁ ଆଣିବା ଲୋକେ କହୁଥିଲେ, ମୁଗ କିଆରୀରେ ବାଘର ପଞ୍ଚା ସାନହାତୀ ପାହୁଲ ପରି ପଡ଼ିଥିଲା । ସେଥିରୁ ବୋଧ ହୁଏ, ବାଘଟା ଖୁବ୍ ବଡ଼ । ବଳଦଟା କଣା, ତାହାର ଗୋଟାଏ ଆଖିକୁ ଦିଶେ ନାହିଁ । ସେ ବାଘକୁ ଦେଖିଥିଲେ ପଳାଇ ଆସିପାରିଥାଆନ୍ତା । ସକାଳ ହୋଇଗଲା, ଲୋକେ ବିଲବାଡ଼ିକୁ ଗଲେ । ସେଥିପାଇଁ ବାଘ ଭୟରେ ପର୍ବତକୁ ଉଠିଗଲା; ନଚେତ୍ ବଳଦକୁ ନ ମାରି ଦରମରା କରି ଛାଡ଼ିଯାଇ ନଥାନ୍ତା ।’ ଏହିପରି ନାନା କଥାବାର୍ତ୍ତାରେ ସନ୍ଧ୍ୟା ହୋଇଗଲା । ଆମ୍ଭେମାନେ ରାଜା ମହୋଦୟଙ୍କଠାରୁ ବିଦାୟ ନେଇ ବସାକୁ ଆସିଲୁଁ ।

 

ପରଦିନ ସକାଳେ ରାଜା ମହୋଦୟ ମୋଟର ଆଣି ଆମ୍ଭମାନଙ୍କୁ ନେଇଗଲେ । ରାଜାସାହେବ ନିଜେ ରଥୀ, ନିଜେ ସାରଥି । ତାଙ୍କୁ ସ୍ୱୟଂ ଆସିବାର ଦେଖି ମୁଁ ଅତି ବିସ୍ମିତ ହେଲି । ମୋ ଭଳି ଦୀନ ହୀନ ପ୍ରତି ତାଙ୍କର ଏ ସ୍ନେହ ମୋର ପରମସୌଭାଗ୍ୟର ବିଷୟ ହେଲେହେଁ, ମୋତେ ଟିକିଏ ସଙ୍କୋଚ ବୋଧ ହେଲା, ମୁଁ ମନେ ମନେ ଲଜ୍ଜିତ ମଧ୍ୟ ହେଲି । ଭାବିଲି-ଯେ ପ୍ରକୃତରେ ବଡ଼, ସେ ବାସ୍ତବରେ ଅଭିମାନଶୂନ୍ୟ; ମାତ୍ର ଯେ ବାସ୍ତବରେ ସାନ, ସେହି ଏକା ଅଭିମାନର ହିମାଳୟ ପର୍ବତ । ଜଣେ ରାଜପୁରୁଷଙ୍କର ଏଭଳି ବ୍ୟବହାର, ନିଶ୍ଚୟ ତାଙ୍କ ଦେବଚରିତ୍ରର ଅଳଙ୍କାର ଏହା ବୋଲିବା ପୁନରୁକ୍ତି ମାତ୍ର । ସିଂହଦ୍ୱାର ସମ୍ମୁଖରେ ଓହ୍ଲାଇ ରାଜକଚେରି ଦେଖିବାକୁ ଗଲି । ବିଚାରସନ ଏବଂ ଅର୍ଥୀ ପ୍ରତ୍ୟର୍ଥୀ ସାକ୍ଷୀମାନଙ୍କର ସ୍ଥାନ ଠିକ୍ ଗଭର୍ଣ୍ଣମେଣ୍ଟ କଟକଣାରେ ନିର୍ମିତ । ରାଜାସାହେବଙ୍କର ଦ୍ୱିତୀୟଶ୍ରେଣୀ ମାଜିଷ୍ଟ୍ରେଟ କ୍ଷମତା ଅଛି । ସେ ଜେଲ ଜୋରିମାନା ଉଭୟ ଦଣ୍ଡବିଧାନ କରିପାରନ୍ତି । ନିକଟରେ ଟ୍ରେଜେରୀ । ସେଠାରେ ସଶସ୍ତ୍ର ପ୍ରହରୀ ପ୍ରହରାରେ ନିଯୁକ୍ତ । ରାଜବଂଶର ଇଷ୍ଟଦେବୀ ଦକ୍ଷିଣକାଳୀଙ୍କର ଦେଉଳ ନଅର ମଧ୍ୟରେ ଅବସ୍ଥିତ । ଅଧିଷ୍ଠାତା ଗୋପୀନାଥଙ୍କର ରାଜବାଟୀ ସମ୍ମୁଖରେ ଗୋଟିଏ ନୂତନ ଦେଉଳ ନିର୍ମିତ ହୋଇଅଛି । ଉପର କାମ ଶେଷ ହୋଇ ତଳ କାମ ଅଳ୍ପ ବାକୀ ଅଛି । ତାହା ମଧ୍ୟ ଶୀଘ୍ର ଶେଷ ହୋଇଯିବ । ବର୍ତ୍ତମାନ ତଳେ ମର୍ମର ପ୍ରସ୍ତର ବିଛାହେଉଅଛି । ଦେଉଳଟି ଖୁବ ଉଚ୍ଚ, ଛବି ବହୁଳତା ତାହାର ବିଶେଷତ୍ୱ; କିନ୍ତୁ ଅଶ୍ଳୀକ ଛବି ଆଦୌ ନାହିଁ । ସବୁ ଦେବଦେବୀ ବିଷୟକ ପୌରାଣିକ ଛବି । ପ୍ରସ୍ତରଖୋଦିତ ପ୍ରତିମୂର୍ତ୍ତମାନ ସହଜ ସୁନ୍ଦର ଭାବୋବ୍ଦୀପକ । କାଷ୍ଠଶିଳ୍ପର ଚାତୁରୀ ମଧ୍ୟ ଅତି ଚମତ୍କାର । କବାଟ, ଦେହଳୀ ଏବଂ ଗବାକ୍ଷର ଶିଳ୍ପକଳା ସୁନ୍ଦର କୌଶଳପୂର୍ଣ୍ଣ । ଏ ଯୁଗରେ ଏଭଳି କାରୁକଳା ବାସ୍ତବରେ ଦୁର୍ଲଭ । ଲତା, ପତ୍ର, ପୁଷ୍ପ, ପଶୁ, ପକ୍ଷୀ, ମତ୍ସ୍ୟ ପ୍ରଭୃତିରେ ଅବିକଳ ପ୍ରତିକୃତି ମନକୁ ଅତୀତ ଯୁଗକୁ ଘେନିଯାଏ । ତାହା ଦେଖିଲେ ହୃଦୟରେ ଗର୍ବ ଉଛୁଳିପଡ଼େ । ଏ କାଳରେ ତ ଏଭଳି ଉଚ୍ଚକଳାର ଶିଳ୍ପକାର ଅଛନ୍ତି ! ଧନ୍ୟ ଉତ୍କଳ, ତାହାର ଉତ୍କଳ ଆଖ୍ୟା ଚିରକାଳ ସାର୍ଥକ । ଝରକାରେ କବାଟ ନାହିଁ । ବୃହତ୍ ପ୍ରସ୍ତର ଫଳକରେ ମୂର୍ତ୍ତି ଖୋଳାଯାଇ ଜାଲି ଫୁଟାଯାଇଅଛି । ତଦ୍ଦ୍ୱାରା ଅନୁକରଣରେ ସୁଦ୍ଧା ସ୍ୱଭାବସୁନ୍ଦର ମୂର୍ତ୍ତି ସ୍ପଷ୍ଟ ଫୁଟି ଉଠିଅଛି ଏବଂ ଜାଲି ଫାଙ୍କା ଦେଇ ଦେଉଳ ମଧ୍ୟକୁ ବାୟୁ ଏବଂ ଆଲୋକ ପ୍ରବେଶ କରୁଅଛି । ଜଣେ ସ୍ଥାନୀୟ ଅଶିକ୍ଷିତ ଶିଳ୍ପୀ ଏହି ସମସ୍ତ ନିର୍ମାଣ କରିଥିବାର ଶୁଣିଲି । କୌଣସି ଶିଳ୍ପ ବିଦ୍ୟାଳୟରେ ପଢ଼ି ଆଧୁନିକ ଯନ୍ତ୍ର ବ୍ୟବହାର ଜାଣିଥିଲେ ସେ ଅଦ୍ଭୁତ ଉନ୍ନତି ଲାଭ କରିଥାଆନ୍ତା, ଏଥିରେ ସନ୍ଦେହ ନାହିଁ । ପୂର୍ବଜନ୍ମର ସଂସ୍ଥାର ଏବଂ ପ୍ରତିଭା, ଏ ଜନ୍ମରେ ତାହା ଶକ୍ତି ଉପରେ ପ୍ରଭାବ ବିସ୍ତାର କରିଅଛି । ସେହି ସଂସ୍କାର ପାସୋରୀ ପାଠ ପରି ତାହାର ସ୍ମୃତିପଟରେ ଆପେ ଆସି-ଚିତ୍ରିତ ହୋଇଯାଉଅଛି । ଦେଉଳ ସିଂହଦ୍ୱାରର ସଙ୍ଗୀନଧାରୀ ପ୍ରହରିଦ୍ୱୟର ମୂର୍ତ୍ତି ସ୍ୱାଭାବିକତାକୁ ବଳିଯାଇଅଛି । ଚାହାଣୀ ଏବଂ ଭଙ୍ଗୀ ଜାବିତର ଅନୁରୂପ । ଦେଉଳ ଚାରି ପାଖରେ ପକ୍‌କା ପ୍ରାଚୀର ଏବଂ ପ୍ରାଚୀରରେ ଆଗପଛରେ ଦୁଇଟି ଦ୍ୱାର । ଏ ପାଖରୁ ଚାହିଁଲେ ଦୁଇଟି ବର୍ଗବନ୍ଧନୀ ମଧ୍ୟରେ ଗୋଟିଏ ଯୁକ୍ତାକ୍ଷର ବନ୍ଦୀ ହେଲାପରି ଦିଶେ । ମୂଳଦେଉଳଟି ଅକ୍ଷର ଏବଂ ତତ୍‌ସଂଲଗ୍ନ ମହନ, ରେଖ ଦେଉଳଦ୍ୱୟ ତାହାର ମାତ୍ରା । ଯୋଗି କୁଣ୍ଠରେ ରୁଦ୍ରାକ୍ଷମାଳା ପ୍ରାୟ ଦେଉଳର ଅୟଁଲାସାରିଟି ବେଶ ସୂନ୍ଦର ଦିଶୁଅଛି । ବେଢ଼ାର ସମ୍ମୁଖଭାଗରେ ଦୁଇଟି ବୃହତ୍ ବକୁଳବୃକ୍ଷ ଗୋପୀନାଥଙ୍କ ଖଟଣି ସେବା ପ୍ରତୀକ୍ଷାରେ ଠିଆହୋଇଅଛନ୍ତି । ପାର୍ଶ୍ୱଭାଗରେ ନଡ଼ିଆ ଗଛ ଚାମର ବ୍ୟକନର ଅଭ୍ୟାସ ପରିପଜ୍ୱ କରୁଅଛି । ନଡ଼ିଆଗଛର ଆଳବାଳ ମଧ୍ୟରେ ଏକ ପ୍ରକାର ନୀଳବର୍ଣ୍ଣର ମସୃଣ ତୃଣ କି ଶୈବାଳ ଆଚ୍ଛନ୍ନ ହୋଇ ରହିଅଛି । ସେଥିରେ ବି ଚିତ୍ର ଅଙ୍କିତ ହୋଇଅଛି । ସ୍ଥୂଳତଃ ଏ ଅଂଶଟି ଚିତ୍ରରାଜ୍ୟ ପରି ବୋଧ ହୁଏ ।

 

ଅତଃପର ମୋଟରଘର ଭିତରକୁ ଗଲି । ସେଠାରେ ଖଣ୍ଡିଏ ଲରୀ ଏବଂ ଖଣ୍ଡିଏ ଟାକ୍‌ସି ପ୍ରଭୁଙ୍କ ଆଜ୍ଞା ପ୍ରତୀକ୍ଷାରେ ଥିବାର ଦେଖିଲି । ଆଉ ଖଣ୍ଡିଏ ମୋଟର ପନ୍ଦର ହଜାର ଟଙ୍କା ମୂଲ୍ୟରେ ନୂତନ କିଣାହୋଇ ଆସିଅଛି, ତାହା ବ୍ୟବହୃତ ହୋଇ ନାହିଁ । ବର୍ତ୍ତମାନ ସେ ସେବା ଗ୍ରହଣ କରୁଅଛି, ପଛକୁ ସେବାରେ ଲାଗିବ । ନୂତନ ପଦାର୍ଥର ସଦ୍ୟ ସୌଭାଗ୍ୟ ଏହିପରି ହୋଇଥାଏ । ସେଖଣ୍ଡିକ ଅତିସୂନ୍ଦର ଭାବରେ ନିର୍ମିତ ।

 

ସେଠାରୁ ରାଜା ସାହେବଙ୍କ ଅଫିସ ଘରକୁ ଆସିଲି ତାହା ରାଜୋଚିତ ଭାବରେ ସଜ୍ଜିତ-। ଶିଶୁକାଠ ନିର୍ମିତ ଚୌକିଗୁଡ଼ିକ ଦୃଶ୍ୟ ଅତି ମନୋହର । ଚୌକିର ହାତରେ ଗୋଟିଏ ଗୋଟିଏ ସିଂହମସ୍ତକ ନିର୍ମିତ ହୋଇ ଅଛି । ତାହା ଏପରି ପାଲିସ ହୋଇଅଛି ଯେ, ସେଥିରେ ପ୍ରତିବିମ୍ବ ପଡ଼ୁଅଛି । ତାହା କାଷ୍ଠ ନିର୍ମିତ ପରି ଜଣାଯାଉ ନାହିଁ । ଠିକ ଯେପରି ଶିଙ୍ଗକୁ ତରଳାଇ ଛାଞ୍ଚରେ ଢାଳି ନିର୍ମାଣ କରାଯାଇଅଛି, ସେହିପରି ବୋଧ ହେଉଅଛି । ଚୌକିର ପୃଷ୍ଠାଭାଗରେ ଦୁଇଟି ଲେଖାଏଁ ମାଛ ନିର୍ମିତ ହୋଇଅଛି । ତାହା ଅବିକଳ କାଳିବଇଁସି ମାଛ ପରି ସୂନ୍ଦର ଏବଂ ଉଜ୍ଜ୍ୱଳ ଦିଶୁଅଛି । ସିଂହର ଆଖି କାନ, ନାକ, ପାଟି, ଦାନ୍ତ ପ୍ରଭୃତି ନିର୍ମାଣରେ ଶିଳ୍ପୀ ବୋଧ ହୁଏ ଛୁଞ୍ଚିଠାରୁ ସୂକ୍ଷ୍ଣ ଅସ୍ତ୍ର ବ୍ୟବହାର କରିଅଛି । ତାହା ଏରୂପ ସ୍ପଷ୍ଟ ଯେ, ଖଣ୍ଡେ ଦୂରରୁ ଭଲରୂପେ ଦେଖାଯାଉଅଛି-। କଣ୍ଟା ମୁନପରି ସୂକ୍ଷ୍ଣ ଦାନ୍ତଗୁଡ଼ିକର ଶୁକ୍ଳତା ସୁସ୍ପଷ୍ଟରୂପେ ଆଭାସି ଉଠିଅଛି, ସେ ଦୃଶ୍ୟର ଲିଖିତ ବର୍ଣ୍ଣନା ଅସମ୍ଭବ, ଚାକ୍ଷୁଷ ଦର୍ଶନରେ ତାହା ଉପଭୋଗ୍ୟ । ଶୁଣିଲି, ଏହି ସମସ୍ତ ଉପକରଣ ପୂର୍ବୋକ୍ତ ଶିଳ୍ପୀଦ୍ୱାରା ନିର୍ମିତ ହୋଇଅଛି । ସେ ଜଣେ ବନ୍ୟଜାତିର ଲୋକ । ଦୁଃଖର ବିଷୟ ଶିଳ୍ପୀପ୍ରବରକୁ ଦେଖିପାରିଲି ନାହିଁ । ଦେଖିଥିଲେ ପ୍ରାଣର ଧନ୍ୟବାଦ ଜଣାଇ ଆତ୍ମଶ୍ଲାଘା ଉପଭୋଗ କରିଥାଆନ୍ତି । ଅଶିକ୍ଷିତ ହେଉପଛେ, ଓଡ଼ିଆ ଜାତିର ସେ ଗୌରବ ଗଣ୍ଠିଧନ ।

 

ସେଠାରୁ ନବନିର୍ମିତ ରାଜହର୍ମ୍ୟ ଦେଖିବାକୁ ଗଲି । ନୂତନ ନଅର ନିର୍ମାଣକାର୍ଯ୍ୟ ଲାଗିଅଛି । ତଳ କାର୍ଯ୍ୟ ଶେଷ ହୋଇଅଛି, ଉପରମହଲା କାର୍ଯ୍ୟ ଅଳ୍ପମାତ୍ର ଅବଶିଷ୍ଟ । ପ୍ରକାଣ୍ଡ ହର୍ମ୍ୟ, ବାହାରୁ ଦେଖିଲେ ବିସ୍ତୁତିର ପରିମାଣ କଳିହେଉ ନାହିଁ । ରାଜା ସାହେବ ଜଣେ ପ୍ରବୀଣ ଇଞ୍ଜନିଅର । ସ୍ଥାପତ୍ୟ ବିଦ୍ୟାରେ ତାଙ୍କର ବହୁଦର୍ଶିତା ଅସାଧାରଣ କହିଲେ ଅତିରଞ୍ଜିତ ହେବ ନାହିଁ । କେବଳ ତେତିକି ନୁହେ, ରାଜ୍ୟର ପ୍ରତ୍ୟେକ ବିଭାଗର ଉନ୍ନତି ପ୍ରତି ସେ ସତକ ସଚେଷ୍ଟ । ତାଙ୍କର ରାଜନ୍ୟବାଞ୍ଛିତ ସର୍ବଗୁଣବିଚକ୍ଷଣତା ଦେଖି ଭୂତପୂର୍ବ ପୋଲିଟିକେଲ ଏଜେଣ୍ଟ ମହାମତି ରାମସେ ସାହେବ ତାଙ୍କୁ ଦ୍ୱିତୀୟ ସୁଢ଼ଳ ଦେବ ବୋଲି କହୁଥିଲେ ଏବଂ ତାଙ୍କର ପ୍ରତିଭାର ପ୍ରଶଂସା ମଧ୍ୟ ନାନା ସ୍ଥାନରେ ପ୍ରକାଶ କରୁଥିଲେ । ନବ ହର୍ମ୍ୟର ପରିକଳ୍ପନା ତାଙ୍କ ପ୍ରତିଷ୍ଠାର ଅନୁରୁପ ହୋଇଅଛି । ତଳ ମହଲା ଦେଖିସାରି ଉପର ମହଲାକୁ ଗଲି । ଛାତ ନିର୍ମାଣର ଅପୂର୍ବ କୌଶଳ ବାସ୍ତବରେ ଦର୍ଶନୀୟ । ଛାତରେ ଆଦୌ ବର୍ଗୀ ଦିଆଯାଇ ନାହିଁ । ଦୁଇଟି କଢ଼ି ଉପରେ ସିମେଣ୍ଟଚୂନରେ ଖିଲାଣ ହୋଇ ଛାତ ପିଟାହୋଇଅଛି । ଛାତ ଯେଉଁପରି ଦୃଢ଼, ସେହିପରି ସୁନ୍ଦର ହୋଇଅଛି । ଟାଇଲବିଛା ଛାତ ବହୁ ସମୟ ଏବଂ ଅପେକ୍ଷାକୃତ ବ୍ୟୟସାପେକ୍ଷ; ମାତ୍ର ଏ କୌଶଳ ତାହାଠାରୁ ଖୁବ ସହଜ । ଖିଲାଣର ଉଚ୍ଚତା ଏତେ ଊଣା ଯେ, ତଳୁ ଚାହିଁଲେ ଟାଇଲବିଛା ଛାତପରି ସମତଳ ବୋଧ ହୁଏ । ଘରଗୁଡ଼ିକର ଗଠନପ୍ରଣାଳୀ ଖୁବ ସୂନ୍ଦର ଏବଂ ଚମତ୍କାର । ସେଥିରେ ନୈଚିତ୍ୟ ଓ ବିଶେଷତ୍ୱ ଉଭୟ ଅଛି । କୋଠା ଉପରୁ ଚାହିଁଲେ ଟାଉନର ଦୃଶ୍ୟ ଅତି ମନୋହର ଦିଶେ । କନ୍ଧପଲ୍ଲୀଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଋଷି ଆଶ୍ରମ ପରି ବୋଧହୁଏ । କୋଠା ତଳେ ଗୋଟିଏ କମଳାଗଛ ଫଳରେ ଭାବତ୍ରାନ୍ତ, କେତେଗୁଡ଼ିଏ ଫଳ ପାଚିଅଛି । ଗଛରେ ରତ୍ନ ଫଳିଥିବା ପରି ତାହା ବିସ୍ମୟପ୍ରଦ ଦୃଶ୍ୟ । ସତେ ଯେପରି ଏକ ଗଛରେ ପଦ୍ମରାଗ, ମର୍କତ ଉଭୟମିଶି ଫଳିଅଛି । ମଙ୍ଗଳ ବୁଧ ଏକ ରାଶିରେ ରହିଲା ପରି ଗୋଟିଏ ଡେମ୍ଫରେ ପକ୍ୱ ଅପକ୍ୱ ଦୁଇଟି ଫଳ ଫଳିଅଛି କିମ୍ବା ଏକ ଶବ୍ଦ ଦୁଇ ବିଭିନ୍ନ ଅର୍ଥ ଧାରଣ କରିଅଛି । ହର୍ମ୍ୟ ସମୀପରେ ପ୍ରଭୁ ଆଗରେ ଭୃତ୍ୟ କରଯୋଡ଼ି ଉଭାହେଲା ପରି ଗୋଟିଏ କିଶୋରବୟସ୍କ ଲବଙ୍ଗ ବୃକ୍ଷ ଠିଆ ହୋଇଅଛି । ପରିଗଭାମୟୀ କାନନକୁନ୍ତଳା ଭୂମି ଲାଞ୍ଜିଗଡ଼ ରାଜ୍ୟର କମକାନ୍ତ ଦୃଶ୍ୟ ବର୍ଣ୍ଣନା କରୁଥିଲେ ସରିବ ନାହିଁ । ହୁନ୍ଦରମୟୀ ପ୍ରକୃତ ଯାହାକୁ ବହୁହସ୍ତରେ ସଜ୍ଜିତ କରୁଅଛି, ତାହାର ପଟାନ୍ତର ବା କଅଣ ଅଛି । ବିଶେଷତଃ ଗିରିରାଜ ନିୟାମଗିରି ଯାହାର ଶୋଭା ସମ୍ପଦର ଅକ୍ଷୟ ଗନ୍ତାଘର, ସୁଷମାଲକ୍ଷ୍ମୀ ଯେଉଁଠାରେ ନିତ୍ୟ ନବବୈଚିତ୍ୟର ଦରବାର ବସାଇଅଛନ୍ତି, ତାହାର ଯୋଗ୍ୟ ଉପମା ସେହି ଏକା ସିନା । ଲାଞ୍ଜିଗଡ଼ ଦୃଶ୍ୟବହୁଳ ରାଜ୍ୟ, ସେ ଦୃଶ୍ୟ ଭୟବେଷ୍ଟିତ ହେଲେହେଁ ଅଦମ୍ୟ ଦିଦୁକ୍ଷା ସେ ଭୟକୁ ଖାତର କରେ ନାହିଁ । ଭୟକୁ ଯେ ନ ଡରେ ଭୟ ତାହା ପାଦତଳେ ଭୟରେ ଶରଣ ପଶେ । ଗିରିକାନନପ୍ରକୃତି ଯେଉଁଠାରେ, ଇନ୍ଦ୍ରଙ୍କର ନନ୍ଦନବନ ସେହିଠାରେ, ବରୁଣଙ୍କ ଚୈତ୍ରରଥ ଏବଂ କୁବେରଙ୍କ ମୈତ୍ରେୟକାନନ ବି ସେହିଠାରେ ଗିରିଦେବୀ, ବନଦେବୀ, ଶୋଭାଦେବୀଙ୍କର ତାହା ଚିର ମିଳନମନ୍ଦିର । ଭୀଷଣତା ମଧ୍ୟରେ ଯେଉଁ ସୌନ୍ଦର୍ଯ୍ୟର ନିବାସ ସେ ସୌନ୍ଦର୍ଯ୍ୟ ରୂପବାନ ପ୍ରାଣବାନ୍, ସେ କଥା କହେ । ଏ ଅରଣ୍ୟସଙ୍କୁଳସ୍ଥାନରେ ମଶାଉପଦ୍ରବ ନାହିଁ; ଅଥଚ ମେଲେରିଆ ପ୍ରବଳ-ଏହା ଅଦ୍ଭୁତ ବିଷୟ । ଡାକ୍ତରମାନେ କହନ୍ତି-‘ମଶା ମେଲେରିଆର ଜନକ । ତାହା ଅଭାବରେ ମେଲେରିଆ ଠାକୁରାଣୀ ଏଠାରେ ପିତୃଶୂନ୍ୟ ଛେଉଣ୍ଡ ।’

 

ନବ ହର୍ମ୍ୟ ଦେଖିସାରି ପ୍ରଶସ୍ତ ପ୍ରାଙ୍ଗଣ ମଧ୍ୟ ଦେଇ ପୂର୍ବୋକ୍ତ ବୈଠକଖାନାରେ ଆସି ବସିଲୁ । ସେଠାକୁ ରାଜବଂଶର ଅଧିଷ୍ଠାତ୍ରୀଦେବୀ ଦକ୍ଷିଣକାଳୀଙ୍କ ଦେଉଳ ଦେଖାଯାଏ । ଦେୁଳଟି ପ୍ରାଚୀନ । ଦେବୀଙ୍କର ରୌପ୍ୟ ମୂର୍ତ୍ତି ରୌପ୍ୟ ସିଂହାସନରେ ଅଧିଷ୍ଠିତ ଏବଂ ରୌପ୍ୟଛତ୍ର ରୌପ୍ୟ ଚାମର ଶୋଭିତ । ସେଦିନ ସୋନପୁରରୁ ପତ୍ର ଆସିଥିଲା-ରାଜା ସାହେବଙ୍କର ଦୌହିତ୍ର ଗୋଟାଏ ବୃହତ୍ ବ୍ୟାଘ୍ର ଶିକାର କରିଥିଲେ । ପତ୍ରଖଣ୍ଡି ସେହି ଆନନ୍ଦ ସମ୍ବାଦ ବହନ କରି ଆଣିଥିଲା । ଦ୍ୱାଦଶବର୍ଷୀୟ କୁମାରଙ୍କ ପକ୍ଷରେ ବ୍ୟାଘ୍ର ଶିକାର ଅତି ଆଶ୍ଚର୍ଯ୍ୟର ବିଷୟ । ମୃଗୟୂକୁଳବନ୍ଦିତ, ଶାର୍ଦ୍ଦୂଳ ମର୍ଦ୍ଦନ ମାତାମହଙ୍କର ବୀରତ୍ୱ ପ୍ରଭାବ ଦୌହିନଙ୍କ ଶକ୍ତିକୁ ପ୍ରଭାବିତ କରିଅଛି । ଶିକାର ସମ୍ବନ୍ଧରେ କେତେ କଥା ରାଜା ସାହେବଙ୍କଠାରୁ ଶୁଣିଲି । ମୋର ପାରିଧି ଦେଖିବା ଇଚ୍ଛାକୁ ସେ ଏହି ଭାବରେ ପୂର୍ଣ୍ଣ କଲେ । ମୋତେ ମଧ୍ୟ ଅଗତ୍ୟା ସେହି ଗୋଥିବାଇଗଣରେ ସନ୍ତୁଷ୍ଟ ହେବାକୁ ହେଲା । ଗୋଟିଏ ଚମ୍ପୁ ସଙ୍ଗୀତର ନୂତନ ରେକଡ଼ ରାଜା ମହୋଦୟ ଅଣାଇଥିଲେ; ସେହି ସଙ୍ଗୀତଟି ଗ୍ରାଫୋନଯନ୍ତ୍ର ଗାନ କଲା । ଏକେତ ଲଳିତ ମଧୁର ପଦଯୋଜନା, ତାହା ଉପରେ ପୁଣି କିନ୍ନର କଣ୍ଠଗାୟକ ଗ୍ରାମ୍‌ଫୋନ ଯନ୍ତ୍ରର ମଧୁର ସ୍ୱର, ମଧୁର ମୂର୍ଚ୍ଛନା ମଧୁ ଉପରେ ମଧୁ ବୃଷ୍ଟି ହେଲାପରି ବୋଧ ହେଲା । ବିଜ୍ଞାନର କି ଅଦ୍ଭୁତ ଶକ୍ତି । ନିର୍ଜୀବ ଯନ୍ତ୍ରକୁ ସେ ସ୍ୱଭାବ କରିଦେଇଅଛି-। ଯୋଗଶକ୍ତି ପ୍ରଭାବରେ ଅସାଧ୍ୟ ସୁସାଧ୍ୟ ହୁଏ । ଏହି ବିଜ୍ଞାନହିଁ ସେହି ଯୋଗ ମହାବିଦ୍ୟା । ତାହାର ଅଘଟନଘଟନପଟୀୟସୀ ଶକ୍ତି ଅନନ୍ତ ଅକଳିତ । ସିଂହଦ୍ୱାରସ୍ଥ ଘଡ଼ିରେ ଏଗାରଟା ବାଜିଗଲା । ସଙ୍ଗୀତସୁଧାପାନ ଶେଷରେ ରାଜା ମହୋଦୟଙ୍କଠାରୁ ବିଦାୟ ନେଇ ଆମ୍ଭେମାନେ ବସାକୁ ଫେରିଆସିଲୁ ଆସିବାବେଳେ ହାତୀଶାଳ ଦେଖିଆସିଲୁ । ଗଜଦମ୍ପତି ତେତେବେଳେ ଡାଳ ଭୋଜନରେ ନିଯୁକ୍ତ ଥିଲେ । କି ତପସ୍ୟା ଫଳରେ କେଜାଣି, ସେମାନେ ଗରିଗହର ତୁଲ୍ୟ ଉଦରଟିମାନ ଲାଭ କରିଅଛନ୍ତି । ଗୋଟିଏ ମହାଦ୍ରୁମର ଡାଳ ତାଙ୍କ ଚାଳଭୋଗକୁ ନିଅଣ୍ଟ ।

 

ଲାଞ୍ଜିଗଡ଼ ରାଜ୍ୟର ପରିମାଣ ୨୫୨ ବର୍ଗମାଇଲ । ଲୋକସଂଖ୍ୟା ୧୪୫୮୦ । ରାଜଧାନୀର ଗୃହସଂଖ୍ୟା ୨୮୭ ଏବଂ ଲୋକସଂଖ୍ୟା ୧୧୪୨ । ରାଜଧାନୀରେ ଗୋଟିଏ ପୋଲିସ ଥାନା ଏବଂ ଶିକରକୂପାରେ ଗୋଟିଏ ଆଉଟ ପୋଷ୍ଟ ଅଛି । ଅପରପ୍ରାଇମେରୀ ସ୍କୁଲ ଦୁଇ ଗୋଟି ମଧ୍ୟରୁ ରାଜଧାନୀରେ ଗୋଟିଏ ଏବଂ କମଟାରେ ଗୋଟିଏ ଅଛି ।

 

ଏ ରାଜ୍ୟରେ ବହୁତ ଗଉଡ଼ ଅଛନ୍ତି । ସେମାନେ ଦୁଇ ଶ୍ରେଣୀୟ-ଷୋଳଖୁଣ୍ଟିଆ ଏବଂ ମଗଧା । ଷୋଳ ଖୁଣ୍ଟିଆମାନେ ସବାରି କାନ୍ଧାନ୍ତି ନାହିଁ । ପାଇକ ପ୍ରାୟ ୫୦ ଘର ଅଛନ୍ତି । ବ୍ରାହ୍ମଣ କରଣ ଆଦି ଉଚ୍ଚ ଜାତି ମଧ୍ୟ ଅଛନ୍ତି । ବନ୍ୟ ଜାତି ମଧ୍ୟରେ କନ୍ଧ, ଡମ ପ୍ରଭୃତି ପ୍ରଧାନ । କମାର ଏବଂ ଭଣ୍ଡାରୀ ଅଳ୍ପ ଅଛନ୍ତି । ଏଠାରେ ଧୋବାମାନେ ଭଲରୂପେ ଲୁଗା ସଫା କରିଜାଣନ୍ତି ।

 

ଲାଞ୍ଜିଗଡ଼ରେ ରେତ ଏବଂ ବଂଶଧାରା ନାମରେ ଦୁଇଟି ନଦୀ ପ୍ରବାହିତ ହୁଏ । ରେତ ଗଣ୍ଡିଡ଼ୁଙ୍ଗରରୁ ଏବଂ ବଂଶଧାରା ନିୟାମଗିରିରୁ ନିର୍ଗତ ହୋଇଅଛି । ନିୟାମଗିରିରୁ ଅଖଣ୍ଡ ସ୍ୱପ୍ନ ଧାରା ପରି ଦୁଇଟି ଝରଣା ଅନବରତ ବହୁଅଛି । ରଘୁ ମହାରାଜ ଇନ୍ଦ୍ରଙ୍କୁ କୃଷିକ୍ଷେତ୍ରରେ ଖଟାଇଲା ପ୍ରାୟ ଲାଞ୍ଜଗଡ଼ ରାଜା ଉକ୍ତ ଝରଣାଦ୍ୱୟକୁ କୃଷିକ୍ଷେତ୍ର ଏବଂ କଲମି ଆମ୍ଭ, କମଳା ଉଦ୍ୟାନ ସେବାରେ ଖଟାଇଅଛନ୍ତି ।

 

ରାଜଧାନୀର ପଶ୍ଚିମ ପାର୍ଶ୍ୱସ୍ଥ ଭୈରବଡୁଙ୍ଗର ପର୍ବତରେ ଭୈରବ ଭୈରବୀ ଦେବଦେବୀଦ୍ୱୟ ଅଛନ୍ତି । ସେଠାରେ ପୃତି ଏବଂ ବୋଦା ବଳିପଡ଼େ । ଭାଦ୍ର ଶୁକ୍ଳ ଅଷ୍ଟମୀରେ ଝାମିଯାତ୍ରା ହୁଏ । ଏହା ଏ ଅଞ୍ଚଳର ପ୍ରଧାନ ଉତ୍ସବ ବା ମେଳା । ଏହି ଉତ୍ସବ ୯ ଦିନ ପର୍ଯ୍ୟନ୍ତ ହୁଏ-। ଶେଷଦିନ କାଳିସିମାନେ ନିଆଁ ଉପରେ ଚାଲନ୍ତି । ଏହାକୁ ବାଲିଯାତ୍ରା ମଧ୍ୟ କହନ୍ତି । ୧୪ ହାତ ଲମ୍ବ, ୫ ହାତ ଓସାର ଏବଂ ଦେହହାତ ଗଭୀରରେ କୁଣ୍ଡ ଖୋଳାଯାଏ । ସେଥିରେ ୧୦।୧୫ ସଗଡ଼ କାଠ ଜଳାଯାଏ । ନିଆଁ ହୁହୁ ହୋଇ ଜଳୁଥିବା ବେଳେ କାଳିସିମାନେ ଗୋଡ଼ରେ ଇଟଳାଫୁଲମାଳ ବାନ୍ଧି ନିଆଁ ଭିତରେ କୁଣ୍ଡର ଏ ପାଖରୁ ସେ ପାଖଯାଏଁ ଚାଲିଯାଆନ୍ତି। ଗୋଡ଼ ପୋଡ଼ିଯିବା ଦୂରେ ଥାଉ, ଗୋଡ଼ରେ ବାନ୍ଧିଥିବା ଇଟଳାଫୁଲ ସୁଦ୍ଧା ମଉଳେ ନାହିଁ । କାଳିସିମାନେ କଣ୍ଟାଦୋଳାରେ ଝୁଲନ୍ତି । ଦେହରେ କଣ୍ଟା ଫୋଡ଼ିଯାଏ ନାହିଁ; ବରଂ କଣ୍ଟାର ମୁନ ବଙ୍କା ହୋଇଯାଏ-। ଏହା ଦେବତାଙ୍କ ପ୍ରଭାବ ବୋଲି ଲୋକଙ୍କର ବିଶ୍ୱାସ । ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ସକାଶେ ବହୁ ସହସ୍ର ଲୋକ ରୁଣ୍ଡ ହୁଅନ୍ତି । ମାନସିକ କରି ମଧ୍ୟ ବହୁତ ଲୋକ ଆସନ୍ତି । ସତୀତ୍ୱର ପରୀକ୍ଷା ଦେବା ପାଇଁ ସୀତା ଅଗ୍ନି କୁଣ୍ଡରେ ପଶିଥିଲେ; କିନ୍ତୁ କାଳିସିମାନେ ଅଗ୍ନିକୁଣ୍ଡ ଭିତରେ ଚାଲି କି ବିଷୟରେ ପରୀକ୍ଷା ଦିଅନ୍ତି, ତାହା କିଏ କହିବ । ଯାହା ହେଉ, ଏଭଳି ଆଶ୍ଚର୍ଯ୍ୟ ବ୍ୟାପାର ବାସ୍ତବରେ ଦ୍ରଷ୍ଟବ୍ୟ ।

 

ନିୟାମଗିରିରେ ଅନେକ ପ୍ରକାର ଜୀବଜନ୍ତୁ ବାସ କରନ୍ତି । ସେଥି ମଧ୍ୟରେ ବାଘ, ଭାଲୁ, ବରାହ, ଚିତଳ, କୁଟରା (ଛେଳିପରି ଆକୃତିବିଶିଷ୍ଟ), ଖୁଦର (ଶଶା), କେଉଡ଼ା (ଶଶାଜାତୀୟ; କିନ୍ତୁ ଟିକିଏ ବଡ଼) ଶମ୍ବର, ଗୟଳ, ବଣକୁକୁଡ଼ା, ଧୂମା (ଗୋରୁ ପରି ଦେଖାଯାଏ, ଏହାର ବର୍ଣ୍ଣ କଳା । ନିମ୍ନ ଜାତୀୟଲୋକେ ଏ ଜନ୍ତୁର ମାଂସ ଖାଆନ୍ତି) ଶାରି, ଶୁଆ, ଭୃଙ୍ଗରାଜପକ୍ଷୀ ପ୍ରଭୃତି ପ୍ରଧାନ । ଭୃଙ୍ଗରାଜ ପକ୍ଷୀର ଲାଞ୍ଜ ଖୁବ ଲମ୍ବା, ଏମାନେ ଶ୍ଳକ ଶାରି ପରି କଥା କହିପାରନ୍ତି । ଏ ପକ୍ଷୀ ପୋଷମାନେ, ଏହା ବ୍ୟତୀତ କ୍ଷୁଦ୍ର ଜାତୀୟ ପଶୁପକ୍ଷୀର କଳନା ନାହିଁ । ନିୟାମଗିରିର ଉଚ୍ଚତା ୪୨୬୬ ଫୁଟ । ପର୍ବତ ତଳେ ଏବଂ ଉପରେ ଅନେକ କନ୍ଧପଲ୍ଲୀ ଅଛି । କନ୍ଧମାନେ କୃଷିଜୀବୀ, ମୃଗୟା ମଧ୍ୟ କରନ୍ତି ।

 

ନିୟାମଗିରିର କଟି ଦେଶରେ ପୁରାତନ ନଅରର ଭଗ୍ନାବଶେଷ ଦୁଷ୍ଟିଗୋଚର ହୁଏ । ମୃତ୍ତିକା ନିର୍ମିତ ପ୍ରାଚୀର, ମଣ୍ଡପ, ଗୃହ ପ୍ରଭୃତି ଦେଖିବାକୁ ମିଳୁଅଛି । କେଉଁ ସମୟରେ କେଉଁ ରାଜାଙ୍କ ରାଜତ୍ୱ କାଳରେ ସେଠାରେ ନଅର ନିର୍ମିତ ହୋଇଥିଲା, ତାହା ହାଣିବାର ଉପାୟ ନାହିଁ ; ମାତ୍ର ସେଠାରେ ନଅର ନିର୍ମିତ ହୋଇ ପୂର୍ବତନ କେହି ରାଜା ଯେ ଅବସ୍ଥାନ କରୁଥିଲେ ଏହା ଅଭ୍ରାନ୍ତ ସତ୍ୟ, ଏଥିରେ ମତଦ୍ୱୈଧ ହୋଇ ନ ପାରେ । କାରଣ ଜରାଜୀର୍ଣ୍ଣ ନଅରର ଭଗ୍ନାବଶେଷ ମୂକସାକ୍ଷୀରୂପେ ବିରାଜମାନ । ନଅରର ଧ୍ୱଂସାବଶେଷ ପ୍ରତ୍ନତତ୍ତ୍ୱବିଦିମାନଙ୍କର ଗବେଷଣାର ବିଷୟ । ବର୍ତ୍ତମାନ ସେ ସ୍ଥାନ ନିବିଡ଼ ଅରଣ୍ୟାନୀସଙ୍କୁଳ । ପୂର୍ବର ସେ ବିଭବ ନାହିଁ, ଗଗନପବନରେ ସେ ପୂର୍ବ ବୈଭବର ସତ୍ତା ମାତ୍ର ଭାସିବୁଲୁଅଛି ।

 

ଏ ରାଜ୍ୟରେ ଧାନ, ମାଣ୍ଡିଆ, ଶୂଆଁ, ଜନା, କୁଶଳା, ମୁଗ, ବିରି, ହରଡ଼, ଘାଣ୍ଟିଆ, ସୋରିଷ, ଚଣା, ଝୁଡ଼ୁଙ୍ଗ (ବରଗୁଡ଼ି ଜାତୀୟ) ରାଶି, ଜଡ଼ା ପ୍ରଭୃତି ନାନାଜାତୀୟ ଶସ୍ୟ ଉତ୍ପନ୍ନ ହୁଏ-। କପା, ଧୂଆଁପତ୍ର ଆଖୁ, କନ୍ଦମୂଳ, ମୂଳା ପ୍ରଭୃତିର ଚାଷ ମଧ୍ୟ ଅନେକ ସ୍ଥାନରେ ହୁଏ । ଖଣିଜ ପଦାର୍ଥ ମଧ୍ୟରେ ଅଭ୍ର ପ୍ରଧାନ । ମୃତ୍ତିକା କଳାହାଣ୍ଡି ପରି ଉର୍ବର । ବନଜାତ ଦ୍ରବ୍ୟ ମଧ୍ୟରେ ନାନା ପ୍ରକାର ଉତ୍କୃଷ୍ଟ କାଠ, ଶିଙ୍ଗ, ମହୁ, ମହମ, ମହୁଲମଦ ପ୍ରଭୃତି ପ୍ରଚୁର ମିଳେ ।

 

ଲାଞ୍ଜିଗଡ଼ ରାଜ୍ୟରୁ ଦୁଇଟି ଗ୍ରାମ ଜଗନ୍ନାଥ ମହାପ୍ରଭୁଙ୍କୁ ଦିଆଯାଇଅଛି । ସେଥିର ଆୟ ପ୍ରତିବର୍ଷ ପୁରୀକୁ ପଠାଯାଏ । କମଳା ସମୟରେ ସ୍ତପକ୍ୱ କମଳା ମଧ୍ୟ ପଠାଯାଏ । ଲାଞ୍ଜିଗଡ଼ର କମଳା ଖୁବ୍ ଉତ୍କୃଷ୍ଟ ବୋଲି ତାହାର ପ୍ରତିଷ୍ଠା ଅଛି । ତାହା ଖୁବ୍ ବଡ଼ ଏବଂ ମଧୁର । ଏଠାର ଦୁଧ, ଘିଅ, ତେଲ ବିଶୁଦ୍ଧ । ମଇଁଷି ଦୁଧ ଅଧିକ ମିଳେ ।

 

ପୂର୍ବେ ରାଜାମାନେ ପାଇକଶ୍ରେଣୀୟ ଯୋଗ୍ୟ ଲୋକମାନଙ୍କୁ ବାଛି କନ୍ଧମାନଙ୍କର ଶାସନ ନିଯୁକ୍ତ କରୁଥିଲେ । ସେମାନଙ୍କର ଉପାଧି ପାତ୍ର । ସେମାନଙ୍କୁ ଖଣ୍ଡିଏ ଲେଖାଏଁ ଗ୍ରାମ ଦିଆଯାଏ । ପାପଡ଼ାହାଣ୍ଡିରୁ ବାରଭାଇ ପାତ୍ର ସପରିବାରରେ ଲାଞ୍ଜିଗଡ଼ ଆଡ଼କୁ ଆସିଲେ । ବାଟରେ ଗୋଟିଏ ଶମ୍ବର ଦେଖି କାଣ୍ଡ ବିନ୍ଧିଲେ । ଶମ୍ବର ମଲା ନାହିଁ, ଖଣ୍ଡିଆ ହୋଇ ପଳାଇଲା । ଶିକାରୀମାନେ ତାହାର ରକ୍ତଚିହ୍ନ ଅନୁସରଣ କରି ଅଗ୍ରସର ହେଲେ । ରାତି ହୋଇଯିବାରୁ ହେଲିପଡ଼ିଆରେ ସମସ୍ତେ ଶୋଇଲେ । କେବଳ ବଡ଼ଭାଇ ଜାଗ୍ରତ ରହିଲେ । ଅର୍ଦ୍ଧରାତ୍ରରେ ଭୈରବ ଦେବତା ମନୁଷ୍ୟ ରୂପରେ ଆସି ତାକୁ କହିଲେ- ‘ମୁଁ ତୋ ପ୍ରତି ସୁପ୍ରସନ୍ନ ହୋଇଅଛି, ତୁ କୋଡ଼ିକାଙ୍କରେ ଖୋଳି ମୋତେ ବାହାରକର । ଖଣ୍ଡିଆ ଶମ୍ବରକୁ ତୁ ଆଉ ପାଇବୁ ନାହିଁ, କାଲି ସକାଳେ ଆଉ କୋଟାଏ ଶମ୍ବର ଦେଖିବୁ । ତାହାର ଗୋଟାଏ ଶିଙ୍ଗ ଉପରେ, ଆଉ ଗୋଟାଏ ତଳେ, ତାକୁ ମାରିପକାଇବୁ । ଏହା କହି ଭୈରବ ଦେବତା ଅନ୍ତର୍ହିତ ହେଲେ । ପାତ୍ର ତାର ବାରଭାଇଙ୍କୁ ଏକଥା କହି ଦେବତାଙ୍କ ଆଦେଶ ପାଳନ କଲା । ପୂର୍ବୋକ୍ତ ଶମ୍ବର ମଧ୍ୟ ଆସିଲା, ସେ କାଣ୍ଡ ବିନ୍ଧି ତାକୁ ମାରିପକାଇଲେ । କନ୍ଧମାନେ ପୂର୍ବେ ବାଟରେ ଯାହାକୁ ଦେଖୁଥିଲେ ତାକୁ ମାରିଦେଉଥିଲେ, କେବଳ ଯେଉଁମାନେ ଲୁଣ, ଧୂଆଁ ପତ୍ର ବିକିବାକୁ ଆଣୁଥିଲେ, ସେମାନଙ୍କୁ ମାରୁ ନଥିଲେ । ବାରଭାଇ କନ୍ଧମାନଙ୍କୁ ଡାକିଲେ, ଶତାଧିକ କନ୍ଧ ଆସି ପହଞ୍ଚିଲେ । ବାରଭାଇ ସେମାନଙ୍କୁ କହିଲେ- ‘‘ତୁମ୍ଭେମାନେ ଆମ୍ଭମାନଙ୍କୁ ମାନିକରି ରହିବ ।’’ କନ୍ଧମାନେ କେତେ ଚାଉଳ ଏବଂ ଗୋଟାଏ ଲୁହା ଶାବଳ ଆଣି କହିଲେ- ‘ତୁମ୍ଭେମାନେ ବଡ଼ ଲୋକ କି ଛୋଟ ଲୋକ ଆମେ ଜାଣୁ ନାହିଁ, ତୁମକୁ କିପରି ମାନିବୁଁ ? ତୁମ୍ଭେ ଏ ଚାଉଳ ଖାଇ ଯେବେ ହଜମ କରିବ ତେବେ ତୁମକୁ ମାନିବୁଁ ନାହିଁ, ଶାବଳ ଖାଇ ହଜମ କଲେ ମାନିବୁ ।’ ତହୁଁ ବଡ଼ ଭାଇ ଦେବତାସ୍ମରଣପୂର୍ବକ ଶାବଳକୁ ଆଖୁପରି ଚୋବାଇ ଖାଇଦେଲା । ତାହା ଦେଖି କନ୍ଧମାନେ ତାଙ୍କୁ ଭୟ କଲେ ଏବଂ ତାଙ୍କୁ ମାନିବେ ବୋଲି ବାଘ ଛାଲଛୁଇଁ ଶପଥ କଲେ । ବାଘଛାଲ ଛୁଇଁ ମିଛ କହିଲେ ବାଘ ଖାଇଯିବ ବୋଲି କନ୍ଧମାନଙ୍କର ଦୃଢ଼ ବିଶ୍ୱାସ । ସେ ବିଶ୍ୱାସ ଅଦ୍ୟାବଧି ଅକ୍ଷତ ଅଛି । ବାଘଗୁଡ଼ାକ ବୋଧହୁଏ କାକଚରିତ ପଢ଼ି ସର୍ବଜାଣ ହୋଇଅଛନ୍ତି । ଯେ ମିଛ କହିଥାଏ, ବାଣ୍ଟିକରି ତାହାକୁ ଖାଆନ୍ତି । ବଡ଼ଭାଇର ନାମ ଯଶୋବନ୍ତମାଝୀ । ପରେ କଳାହାଣ୍ଡି ରାଜା ତାକୁ ପାତ୍ର ଉପାଧି ପ୍ରଦାନ କଲେ । ଜଗୁସାହି ପାଟଣାରେ ରାଜଗାଦି ସ୍ଥାପନ କରି ବଡ଼ ଭାଇ ରାଜା ହେଲା, ଅନ୍ୟ ଭାଇମାନଙ୍କୁ ପାଟ୍ଟଶାଢ଼ୀ ଦେଲା ।

 

କେତେକାଳ ପରେ କଳାହାଣ୍ଡିର ପଞ୍ଚବିଂଶ ରାଜା ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର ଦ୍ୱିତୀୟ କୁମାର ଶ୍ରୀ ଶ୍ରୀ ବିଶ୍ୱନାଥ ଦେବ ଲାଞ୍ଜିଗଡ଼ରେ ଉପସ୍ଥିତ ହୋଇ ରାଜଧାନୀ ସ୍ଥାପନପୂର୍ବକ ପାତ୍ରବଂଶୀୟମାନଙ୍କ ଉପରେ ପ୍ରଭୃତ୍ୱ ବିସ୍ତାର କରି ଲାଞ୍ଜିଗଡ଼ ରାଜ୍ୟ ଶାସନ କରିବାକୁ ଲାଗିଲେ । ସେ ଜଣେ ଅସାଧାରଣ ବୀର ପୁରୁଷ ଥିଲେ । ବଳଲକ୍ଷ୍ୟ ଭେଦରେ ସେ ସିଦ୍ଧହସ୍ତ । ଦ୍ରୁତଗାମୀ ଘୋଟକ ଉପରେ ଆରୋହଣ କରି ସେ ଅବଲୀଳାକ୍ରମେ ହିଂସ୍ରଜନ୍ତୁ ନିପାତ କରିପାରୁଥିଲେ । ଏକଦା ସେହି ବୀରପୁଙ୍ଗବ ରାୟପୁରୁର ଜନୈକ ଶ୍ୱେତାଙ୍କ ଶାସନକର୍ତ୍ତାଙ୍କୁ ସମଭିବ୍ୟାହାରରେ ପାରିଧିରେ ବିଜେ ହୋଇ ଯେଉଁ ଅମାନୁଷିକ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ ତାହା ବାସ୍ତବରେ ଆଦର୍ଶ ବୀରତ୍ୱର ପରକାଷ୍ଠା । ସେ ବୀରତ୍ୱକାହାଣୀ ଶୁଣିଲେ ଶରୀର ରୋମାଞ୍ଚିତ ହୁଏ-। ଅନ୍ତରାତ୍ମା ଭୟରେ ଥରି ଉଠେ । ସାହେବ ଗୋଟିଏ ମହାବଳ ବ୍ୟାଘ୍ରକୁ ଲକ୍ଷ୍ୟ କରି ଚାଳି ନିକ୍ଷେପ କଲେ; ମାତ୍ର ଗୁଳିବିଦ୍ଧି ବ୍ୟାଘ୍ର କ୍ଷୀପ୍ରଗତିରେ ସାହେବଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେବା ସମୟରେ ରାଜା ବିଶ୍ୱନାଥ ଦେବ ଅଶ୍ୱପୃଷ୍ଠରେ ବିଦ୍ୟୁତ୍‌ଗତିରେ ଅତର୍କିତ ଭାବରେ ସେଠାରେ ଉପସ୍ଥିତ ହୋଇ ତରବାରୀଦ୍ୱାରା ବ୍ୟାଘ୍ରକୁ ବଧ କରିଥିଲେ । ଏହି ସଙ୍କଟାବସ୍ଥାରେ ବ୍ୟାଘ୍ର ବଧ କରି ଆସନ୍ନ ବିପଦରୁ ସାହେବଙ୍କୁ ଉଦ୍ଧାର କରିଥିବାରୁ ସେ ବିଶେଷ ତୃପ୍ତ ହୋଇ କୃତଜ୍ଞତାର ପୁରସ୍କାର ସ୍ୱରୂପ ଅଯାଚିତ ଭାବରେ ରାଜା ବିଶ୍ୱନାଥ ଦେବଙ୍କୁ ସାତଖଣ୍ଡ ଗ୍ରାମ ପ୍ରଦାନ କରିଥିଲେ । ଲାଞ୍ଜିଗଡ଼ କୋର୍ଟ ଅଫ୍ ଉଆଡ଼୍‌ସ ଥିବା ସମୟରେ ତାହା ବିକ୍ରି ହୋଇଗଲା । ରାଜା ବିଶ୍ୱନାଥ ଦେବଙ୍କର ଛତ୍ରପତି ଦେବ ଏବଂ ରଘୁରାଜ ଦେବ ନାମରେ ଦୁଇ ଗୋଟି ପୁତ୍ର ଥିଲେ । ଉଭୟ ଭ୍ରାତାଙ୍କ ମଧ୍ୟରେ ଖୁବ୍ ସଦ୍‌ଭାବ ଥିଲା । ସେମାନେ ରାମଲକ୍ଷ୍ମଣଙ୍କ ପରି ଭାଇ ଥିଲେ । ଉଭୟ ଭ୍ରାତା ଉଭୟର ପ୍ରାଣ ସମ ପ୍ରିୟ ଥିଲେ । ଯେମନ୍ତ କି ଏକବୃନ୍ତରେ ଦୁଇଟି ଫଳ କିମ୍ବା ଏକ ଆତ୍ମାର ଦୁଇଟି ଦେହ । ଅଥବା ଏକ ଶବ୍ଦର ଦୁଇଟି ପ୍ରତିଶବ୍ଦ । ଅନୁଜ ଅଗ୍ରଜଙ୍କୁ ବିଶେଷ ଭକ୍ତି କରୁଥିଲେ, ଅଗ୍ରଜ ମଧ୍ୟ ଅନୁଜ ପ୍ରତି ଆନ୍ତରିକ ସ୍ନେହପ୍ରବଣ ଥିଲେ । ବିଶ୍ୱନାଥ ଦେବଙ୍କ ପରେ ଛତ୍ରପତି ଦେବ ସିଂହାସନାରୋହଣ କଲେ । ରଘୁ ରାଜ ଦେବ ରାଜ କାର୍ଯ୍ୟରେ ଅଗ୍ରଜଙ୍କର ପରମ ବିଶ୍ୱାସୀ ଭାବରେ ସହାୟତା କରିବାକୁ ଲାଗିଲେ; କିନ୍ତୁ କେତେବର୍ଷ ପରେ ଛତ୍ରପତି ଦେବ ମାନବଲୀଳା ସମ୍ବରଣ କରିବାରୁ ରଘୁରାଜ ଦେବ ରାଜପଦରେ ଅଭିଷିକ୍ତ ହେଲେ । ସେ ଦୟାଳୁ, ଧାର୍ମିକ, ଦାତା ଏବଂ ପ୍ରଜାହିତୈଷୀ ନରପତି ଥିଲେ । ତାଙ୍କ ରାଜତ୍ୱ ସମୟରେ ପ୍ରଜାବର୍ଗ ସୁଖ ଶାନ୍ତିରେ କାଳ ଯାପନ କରୁଥିଲେ । ନିଃସନ୍ତାନ ଅବସ୍ଥାରେ ସେ ପରଲୋକ ପ୍ରସ୍ତ ହେଲେ । ତହୁଁ ରାଣୀ ମହୋଦୟା ନାଗବଂଶୀୟ ଶ୍ରୀଯୁକ୍ତ ମାହେଶ୍ୱରୀପ୍ରସାଦ ଦେବଙ୍କୁ ପୋଷ୍ୟପୁତ୍ର ଗ୍ରହଣ କଲେ-। ସେ କୁମାରଙ୍କୁ ଅତ୍ୟନ୍ତ ସ୍ନେହଚକ୍ଷୁରେ ଦେଖୁଥିଲେ ଏବଂ ଠିକ୍ ଗର୍ଭଜାତ ସନ୍ତାନ ପରି ମଣୁଥିଲେ । ବୃଦ୍ଧାବସ୍ଥାରେ ରାଣୀ ତୀର୍ଥଯାତ୍ରାରେ ବହିର୍ଗତ ହେଲେ । ସ୍ନେହବଶତଃ ନେତ୍ରପିତୁଳୀ ପୁତ୍ରଙ୍କୁ ମଧ୍ୟ ସଙ୍ଗରେ ନେଇଗଲେ; ମାତ୍ର ଦେବଦୁବପାକରୁ ବୈଦ୍ୟନାଥ ଧାମରେ ଧାର୍ମିକା ବୃଦ୍ଧା ରାଣୀଙ୍କର ତିରୋଧାନ ଘଟିଲା । ରାଜକୁମାର ରାଜ୍ୟକୁ ଫେରି ଆସି ଦେଖିଲେ ନଅରର ସର୍ବସ୍ୱ ଅପହୃତ ହୋଇଅଛି । ନଅର ଶୂନ୍ୟ ହୋଇ ପଡ଼ିଅଛି । ମାତୃଶୋକାକୁଳ ବାଳକ ରାଜକୁମାରଙ୍କୁ ଏକ ବିଷମ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା । ଏ ସମୟରେ ତାଙ୍କର ମନର ଅବସ୍ଥା କିପରି ହୋଇଥିବ, ତାହା ବର୍ଣନାତୀତ; ମାତ୍ର ସେ ଅଧୈର୍ଯ୍ୟ ନ ହୋଇ ଶିକ୍ଷାଲାଭ ସକାଶେ ସମ୍ବଲପୁର ଜିଲ୍ଲାସ୍କୁଲକୁ ଗମନ କଲେ । ଅସାଧାରଣ ପ୍ରତ୍ୟୁତ୍ପନ୍ନମତି ଏବଂ ପ୍ରଖର ପ୍ରତିଭା ବଳରେ ସେ ଅଳ୍ପ ସମୟ ମଧ୍ୟରେ ସାଧାରଣ ଶିକ୍ଷା ଏବଂ ରାଜନୀତି ଶିକ୍ଷା ସମାପନ କରି ଫେରିଆସି ରାଜ୍ୟଗାର ଗ୍ରହଣ କଲେ । ତାଙ୍କର ଆତ୍ମନିର୍ଭର ଶୀଳତା ଆଲୌକିକ । ଅତୀତ ନିଃସ୍ୱ ଅବସ୍ଥାରୁ ତାଙ୍କୁ ଉଠିବାକୁ ହୋଇଅଛି । ନୈରାଶ୍ୟ ତାଙ୍କୁ ଛୁଇଁବାକୁ ସାହସୀ ହୋଇ ନାହିଁ । ପୌରୁଷ ନିକଟରେ ନୈରାଶ୍ୟର ପ୍ରଭାବ କ୍ଲୀନତ୍ୱ ପ୍ରାପ୍ତ ହୋଇଅଛି । ସତ୍‌ସାହସୀ ବ୍ୟକ୍ତିଙ୍କର ଦୈବ ଅନୁକୂଳ ହୁଏ । ସ୍ୱୀୟ କର୍ମଦ୍ୱାରା ସେ ଅଦୃଷ୍ଟ ଗଠନ କରିଅଛନ୍ତି । ‘‘ରାଜା ରାଜ୍ୟାଶ୍ରମ ଋଷି’’ ଏ ମହାବାଣୀ ତାଙ୍କଠାରେ ସାର୍ଥକ ହୋଇଅଛି । ବାସ୍ତବରେ ସେ ଜଣେ ଉଦଯୋଗୀ ପୁରୁଷସିଂହ । ଭବିଷ୍ୟତରେ କୀର୍ତ୍ତିଧ୍ୱଜା ଉଡ଼୍‌ଡ଼ୀନ କରିବା ଯାହାଙ୍କର ବିଧିଲିଖିତ ଭାଗ୍ୟଲିପି ଛାର ନୈରାଶ୍ୟ ତାଙ୍କ ପୟରରେ କ୍ରୀତ କିଙ୍କରଠାରୁ ତ୍ସାନତର । ବିଧାତା ଯାହାଙ୍କୁ ଦୁର୍ଲଭ ଯଶଃଶ୍ରୀମଣ୍ଡନ କରିବାକୁ ଇଚ୍ଛା କରନ୍ତି, ସକଳ ଶୁଭଗଣ ଏବଂ ବିଦ୍ୟା ତାଙ୍କ ସଙ୍ଗରେ ଦେଇ ପ୍ରେରଣ କରିଥାଆନ୍ତି । ସକଳ ପ୍ରକାର ଉନ୍ନତି ତାଙ୍କର ସହଜାତ ଶକ୍ତିରେ ମାଧିତ ହୁଏ ।

 

ରାଜ୍ୟଭାର ଗ୍ରହଣ କରି ନବ ନୃପତି ପ୍ରଜାକୁଳର ଉନ୍ନତି ଏବଂ ନ୍ୟାଯ୍ୟ ଉପାୟରେ ଅର୍ଥାଗମ ପ୍ରତି ଯତ୍ନଶୀଳ ହେଲେ । କୃଷିର ଉନ୍ନତି ପ୍ରତି ତାଙ୍କର ଦୃଷ୍ଟି ପଡ଼ିଲା । ସେ ଜଣେ ବିଶେଷ କୃଷିପ୍ରିୟ ବ୍ୟକ୍ତି । ଚାରିଟା ଖମାର ସ୍ଥାପନ କରି ସେଥିରେ ନାନା ପ୍ରକାର କୃଷିର ବ୍ୟବସ୍ତା କଲେ । ତାହା ଗୋଟିଏ ଗୋଟିଏ ବିସ୍ତୃତ ଆଦର୍ଶ କୃଷିକ୍ଷେତ୍ର । ପ୍ରଜାମାନେ ଖମାରରେ କାମ କରି ମୂଲ୍ୟ ପାଇଲେ ଏବଂ ଉନ୍ନତିଧରଣର କୃଷିକାର୍ଯ୍ୟ ଶିଖିଲେ । ନିଜେ ନିଜେ ସେହିପରି କୃଷି କରି ସେମାନେ ଲାଭବାନ୍ ହେଲେ । ରାଜକୋଷ ମଧ୍ୟ ପୃଷ୍ଟ ହେବାକୁ ଲାଗିଲା । ଚତୁର ନୃପତି ନାନା ସଦୁପାୟରେ ଅର୍ଥାଗମର ପନ୍ଥା ଉଦ୍ଭାବନ କରିନେଲେ । ଲାଞ୍ଜିଗଡ଼ରେ ପକ୍‌କା ଘର ନ ଥିଲା । ରାଜବାଟୀ ଝିଙ୍କର ଘର ଥିଲା । କ୍ରମେ କ୍ରମେ କୋଠା ବଙ୍ଗଳା, ଦେଉଳ, ମଣ୍ଡପାଦି ନିର୍ମିତ ହେଲା । ରାଜା ମାହେଶ୍ୱରୀପ୍ରସାଦ ଦେବ ବର୍ତ୍ତମାନ ରାଜଧାନୀକୁ ଗୋଟିଏ ସୁନ୍ଦର, ସଜ୍ଜିତ କ୍ଷୁଦ୍ର ସହରରେ ପରିଣତ କରିଅଛନ୍ତି । ଅଳ୍ପ ଆୟରେ ଅଳ୍ପ ସମୟ ମଧ୍ୟରେ ନିଜର କୌଳିକ ରାଜମର୍ଯ୍ୟାଦା ରକ୍ଷା କରି ସେ ଯାହା କରିଅଛନ୍ତି, ଅନ୍ୟ ପକ୍ଷରେ ତାହା ଶତାବ୍ଦୀକାଳ ମଧ୍ୟରେ ସମ୍ଭବପର ନୁହେଁ । ସେ ଜଣେ ଯୋଗଜନ୍ମା ରାଜା । ଗୋଟାଏ ବୃହତ୍ ରାଜ୍ୟ ପାଇଥିଲେ ସେ ତାଙ୍କର ରାଜମହତ୍ତ୍ୱର ଆଦର୍ଶ ଦେଖାଇ ଜଗତକୁ ଚମତ୍କୃତ କରିପାରିଥାନ୍ତେ । ତାଙ୍କର ପ୍ରତିଭାର ବିଶେଷତ୍ୱ ସେ ସାମାନ୍ୟ ଆୟରେ ଯଥେଷ୍ଟ ଦେଖାଇଅଛନ୍ତି । ଅନ୍ୟବିଧ ଉନ୍ନତିର କଥା ମୁଁ ଆଲୋଚନା କରୁନାହିଁ । ମୁଁ ଜଣେ ଦୀନ ସାହିତ୍ୟସେବକ, ସାହିତ୍ୟ ହିଁ ମୋର ଲକ୍ଷ୍ୟ । ସେହି ଭାବରେ କହିଲେ ରାଜା ମହୋଦୟ ଲକ୍ଷପତି କି କୋଟିପତି ହୋଇଥିଲେ ମାତୃସାହିତ୍ୟର ପରିପୃଷ୍ଟି ସେହି କେବଳ କରିପାରିଥାଆନ୍ତେ । ସାହିତ୍ୟରେ ସେ ଯାହା କରିଅଛନ୍ତି, ଅନେକ ବଡ଼ ବଡ଼ ରାଜା, ମହାରାଜା ତାହା କରିପାରି ନାହାନ୍ତି । ସାହିତ୍ୟର ଉନ୍ନତି ସକଳ ଉନ୍ନତିର ଜନନୀ, ଏହା ସେ ଭଲରୂପେ ଜାଣନ୍ତି ।

 

ରାଜାସାହେବ ଜଣେ ସାହିତ୍ୟିକ । ସାହିତ୍ୟାଲୋଚନା ତାଙ୍କର ଗୋଟିଏ ନିତ୍ୟ ନିୟମିତ କର୍ତ୍ତବ୍ୟ । ଯେ ସାହିତ୍ୟର ଆଲୋଚନା କରନ୍ତି, ସେଥିରେ ପ୍ରୀତିଲାଭ କରନ୍ତି; ପୁଣି ସତ୍‌ସାହିତ୍ୟର ପ୍ରବୃଦ୍ଧି ଓ ପ୍ରକାଶରେ ସହାୟତା କରନ୍ତି, ତାଙ୍କଠାରୁ ବଳି ସାହିତ୍ୟିକ କିଏ ? ସାହିତ୍ୟ ଲେଖକ ଅପେକ୍ଷା ସାହିତ୍ୟପ୍ରକାଶକର ଗୌରବ ଅଧିକ । ରାଜା ମାହେଶ୍ୱରୀପ୍ରସାଦଙ୍କର ତୀକ୍ଷ୍ମ ସ୍ମରଣ ଶକ୍ତି ଦେଖି ମୁଁ ବାସ୍ତବରେ ମୁଗ୍‌ଧ ସ୍ତମ୍ଭିତ ହୋଇଅଛି । କେଉଁ ପୁସ୍ତକର କେଉଁ ଅଂଶରେ କି ବିଷୟ ଆଲୋଚିତ ହୋଇଅଛି, ତାହା ସବୁ ତାଙ୍କ ନଖ ଦର୍ପଣରେ ପ୍ରତିବିମ୍ବିତ ଅଛି । ମୋର ଅନେକ ବଡ଼ ବଡ଼ ପୁସ୍ତକ ସେ ବହୁ ଅର୍ଥ ବ୍ୟୟରେ ପ୍ରକାଶ କରିଅଛନ୍ତି । କେତେ ପୁସ୍ତକ ବରାତ କରି ଲେଖାଇ ନେଇ ମଧ୍ୟ ପ୍ରକାଶ କରିଅଛନ୍ତି । କେବଳ ଏତିକି ନୁହେଁ, ପ୍ରାୟ ଦଶବର୍ଷକାଳ ସେ ମୋତେ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ସାହାଯ୍ୟ ଦାନ କରିଥିଲେ, ଅଦ୍ୟାବଧି ମଧ୍ୟ ସାମୟିକ ଅର୍ଥସାହାଯ୍ୟ କରୁଅଛନ୍ତି । ରାଜା ମହୋଦୟଙ୍କ ଅର୍ଥସାହାଯ୍ୟରେ ମୋର ଗ୍ରନ୍ଥାବଳୀ ମୁଦ୍ରିତ ହେଉଅଛି । ଗ୍ରନ୍ଥାବଳୀ ପ୍ରକାଶର ପ୍ରଧାନ ଉତ୍ସାହଦାତା ମଧ୍ୟ ସେହି । ତାଙ୍କଠାରୁ ସାହାଯ୍ୟ ସହାନୁଭୁତି ପାଇ ନ ଥିଲେ ମୁଁ ଗ୍ରନ୍ଥାବଳୀ ପ୍ରକାଶ କରିବାକୁ କଦାଚ ସାହସୀ ହୋଇ ନ ଥାନ୍ତି । ତାଙ୍କର ଜୀବନ୍ତ ଉତ୍ସାହ ଜରାଜୀର୍ଣ୍ଣ ଅବସ୍ଥାରେ ଅଦ୍ୟାପି ମୋତେ କର୍ତ୍ତବ୍ୟପଥରେ ଅଗ୍ରସର କରି ରଖିଅଛି । ମନୁଷ୍ୟ ଜାତିସୁର ହୋଇଥିଲେ ମୁଁ ଭାବୀ ଜନ୍ମରେ ସୁଦ୍ଧା ତାଙ୍କର ଏ ମହୋପକାର ସ୍ମରଣ କରି, ଉଦ୍ଦେଶ୍ୟରେ ତାଙ୍କୁ ପୂଜାର ଅର୍ଘ୍ୟ ଏବଂ ଭକ୍ତିର ପୁଷ୍ପାଞ୍ଜଳି ଅର୍ପଣ କରି, ନିଜକୁ ଧନ୍ୟ ମନେ କରନ୍ତି-। ରାଜା ମହୋଦୟ ସବୁବେଳେ କାର୍ଯ୍ୟବ୍ୟସ୍ତ, ତହିଁ ଉପରେ ପୁଣି ସମ୍ବାଦପତ୍ର ଏବଂ ସାମୟିକ ପତ୍ର ଗୋଛା ଗୋଛା ପଢ଼ାହୁଏ । ରାଜାସାହେବଙ୍କର ଉଜ୍ଜ୍ୱଳୀୟ ସମସ୍ତ ପତ୍ରପତ୍ରିକା ଆସେ । ଲେଖକ ବୃଦ୍ଧି କାମନାରେ ପ୍ରବନ୍ଧ ନିର୍ବାଚନ କରି ସମୟ ସମୟରେ ସେ ପୁରସ୍କାର ଘୋଷଣା କରନ୍ତି । ସାହିତ୍ୟକ୍ଷେତ୍ରରେ ଏଭଳି ପ୍ରତିଯୋଗିତା ବାଞ୍ଛନୀୟ । ତଦ୍ଦ୍ୱାରା ଲେଖକମାନଙ୍କର ଉତ୍ସାହ ବଢ଼େ ।

 

ଉତ୍କଳୀୟ ସମସ୍ତ ପତ୍ରପତ୍ରିକା ବ୍ୟତୀତ ବଙ୍ଗଳାର ପ୍ରସିଦ୍ଧ ମାସିକ ପତ୍ରିକା ଅନେକ ଇଂରେଜୀ ଏବଂ ହିନ୍ଦୀ ପତ୍ରିକା ରାଜା ସାହେବ ନିୟମିତ ରୂପେ ପାଠ କରିଥାଆନ୍ତି । ଖାଲି ପାଠ କରନ୍ତି ନାହିଁ-ଘଟଣା ପରମ୍ପରା ଏପରି ସ୍ମରଣ ରଖିଥାଆନ୍ତି, ତାହା ଯେ ରାଜା ସାହେବଙ୍କ ସହ କଥୋପକଥନର ସୁଯୋଗପାଇଛି ସେ ବେଶ ହୃଦୟଙ୍ଗମ କରିପାରିବ । ସାଧାରଣ ପତ୍ରପତ୍ରିକା ପାଠକମାନେ ଏପରି ସ୍ମରଣ ରଖିବାର ଶୁଣାଯାଏ ନାହିଁ; ବିଶେଷତଃ ରାଜନ୍ୟ ସମାଜରେ ଏପରି ପତ୍ରିକାପଠନସ୍ଫୃହା ଖୁବ କମ୍ ରାଜପୁରୁଷଙ୍କର ଥାଇପାରେ । ସେ ରୀତିମତ ପତ୍ରିକାପାଠକ ଯୋଗୁଁ ଦେଶର ହାଲଚାଲ, ଦୁନିଆର ପରିସ୍ଥିତି, ରାଜନୀତି, ଅର୍ଥନୀତି, ସମାଜନୀତି ପ୍ରଭୃତି ସମ୍ୟକ୍ ଅବଗତ ଥାଆନ୍ତି । ତାଙ୍କର ପ୍ରଖର ସ୍ମରଣଶକ୍ତି ଦେଖି ଅବାକ ହେବାକୁ ହୁଏ । ଏକ ଗଲା ପତ୍ରିକାପାଠ କଥା, ଏପରି କୌଣସି ପ୍ରକାଶିତ ଓଡ଼ିଆ ପୁସ୍ତକ ନାହିଁ, ଯାହା କି ରାଜାସାହେବ ଅଧ୍ୟୟନ କରି ନାହାନ୍ତି । ଓଡ଼ିଆପତ୍ରିକାରେ କୌଣସିନୂତନ ପୁସ୍ତକ ପ୍ରକାଶିତ ହୋଇଥିବାର ଅବଗତ ହେଲାକ୍ଷଣି ସେ ତାହା କିଣି ପଢ଼ନ୍ତି । ଲାଞ୍ଜିଗଡ଼ରାଜା ଶ୍ରୀ ଶ୍ରୀ ଶ୍ରୀ ମାହେଶ୍ୱରୀ ପ୍ରସାଦ ଦେବଙ୍କୁ ଛାଡ଼ିଦେଲେ ଏ ସୁରୀତି କେବଳ ଜୟପୁର ମହାରାଜ ସାହିତ୍ୟସମ୍ରାଟ ଶ୍ରୀ ଶ୍ରୀ ଶ୍ରୀ ବିକ୍ରମ ଦେବ ବର୍ମା ମହୋଦୟଙ୍କଠାରେ ଦୁଷ୍ଟି ହୁଏ । ରାଜା ମାହେଶ୍ୱରୀ ପ୍ରସାଦଙ୍କର ଓଡ଼ିଆ ସାହିତ୍ୟପ୍ରୀତି ଅସାଧାରଣ କହିଲେ ଅତିରଞ୍ଜିତ ହେବ ନାହିଁ । ସେ ମହୋଦୟ ଉତ୍କଳ ସାହିତ୍ୟର ଜୀବନ୍ତ ଉତ୍ସାହଦାତ, ତାଙ୍କରିପୋଷକତାରେ ଅନେକ ସଦ୍‌ଗ୍ରନ୍ଥ ପ୍ରକାଶିତ ହୋଇ ଦୀନ ଉତ୍କଳ ସାହିତ୍ୟକୁ ପରିପୁଷ୍ଟ କରିଅଛି । ସେଥିପାଇଁ ପ୍ରାକୃତିକ ଉତ୍କଳର ଲେଖକ ଲେଖିକାମାନେ ନିଜ ନିଜ ରଚନା ମୁଦ୍ରଣ କରିବାପାଇଁ ସାହାଯ୍ୟପ୍ରାର୍ଥୀ ହୋଇଥାନ୍ତି । ଯେଉଁ ପୁସ୍ତକ ମୁଦ୍ରିତ ହେଲେ ଦେଶର ତଥା ମାତୃସାହିତ୍ୟର ଶ୍ରୀବୃଦ୍ଧି ସାଧିତ ହେବବୋଲି ରାଜା ସାହେବଙ୍କର ଧାରଣା ହୁଏ, ସେ ସେହି ପୁସ୍ତକ ଅକୁଣ୍ଠିତ ଚିତ୍ତରେ ଛପାଇଦେବାକୁ ଅନୁମତି ପ୍ରଦାନ କରିଥାନ୍ତି କିମ୍ବା କାହାକୁ କିଛି ପୁରସ୍କାର ଦେଇ ପାଣ୍ଡୁଲିପି ଫେରାଇ ଦିଅନ୍ତି । ଅଳ୍ପଦିନ ପୂର୍ବେ ପ୍ରବୀଣ ସାହିତ୍ୟକ ରାୟବାହାଦୁର ଗୋପାଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ରଭାଷାକୋଷର ମୁଦ୍ରଣ ସାହାଯ୍ୟାର୍ଥେ ଉଦାର ଭାବରେ ପାଞ୍ଚଶତ ଟଙ୍କା ସାହାଯ୍ୟପ୍ରଦାନ କରିଅଛନ୍ତି । ତାଙ୍କଭଳି କ୍ଷୁଦ୍ର ରାଜ୍ୟର ରାଜାଙ୍କ ପକ୍ଷେ ପାଶତଟଙ୍କା କମ ନୁହେ । ସେଥିପାଇଁ ମୁଁ ରାଜା ସାହେବଙ୍କୁ ଅନ୍ତରର ସାଧୁବାଦ ଜ୍ଞାପନ ନ କରି ରହିପାରୁ ନାହିଁ । ଏତଦ୍‌ବ୍ୟତୀତ ଦେଶର ସାଧାରଣ ଅନୁଷ୍ଠାନମାନଙ୍କୁ ମଧ୍ୟ ଶକ୍ତି ସାମର୍ଥ୍ୟ ଅନୁସାରେ ସାହାଯ୍ୟ ପ୍ରଦାନ କରିଥାଆନ୍ତି । ସେଦିନ ମହାମାନ୍ୟ ବଡ଼ଲାଟ ଲର୍ଡ଼ ଲିନ୍‌ଲିଥ୍‌ଗୋଙ୍କ ପ୍ରତିଷ୍ଠିତ ଯକ୍ଷ୍ମାନିବାରିଣୀପାଣ୍ଠିକ୍ତ ସାଢ଼େ ଛ ଶତ ଟଙ୍କା ସାହାଯ୍ୟ ପ୍ରଦାନ କରି ମହାନୁଭବତା ଏବଂ ଉଚ୍ଚଆଦର୍ଶ ହୃଦୟବଭାର ପରିଚୟ ପ୍ରଦାନ କରିଅଛନ୍ତି ।

 

ରାଜା ମହୋଦୟ କୃଷିପ୍ରିୟ, ଏହା ପୂର୍ବରୁ କହିଅଛି । କୃଷିବିଦ୍ୟାରେ ତାଙ୍କର ଗବେଷଣା କୃଷି କଲେଜରେ ପଢ଼ିଆସିଥିବା ବ୍ୟକ୍ତିମାନଙ୍କଠାରୁ ଅଧିକ ହୋଇପାରେ; ମାତ୍ର ଊଣା ନୁହେଁ । ମନୁଷ୍ୟ କର୍ମ କରିବା ପାଇଁ ଏ ସଂସାର କର୍ମକ୍ଷେତ୍ରକୁ ଆସିଅଛି-ବସରିରହିବା ପାଇଁ କିମ୍ବା ବିଳାସ କୌତୁକରେ ମାତିବା ପାଇ ଆସି ନାହିଁ । କର୍ମହିଁ ଜୀବନର ପ୍ରଧାନ ଯୋଗ । କର୍ମଯୋଗୀଏକା କର୍ମର ତପସ୍ୟା କରିଜାଣେ । ଯେ କର୍ମର ସେବକ ହୁଏ, କର୍ମ ବି ତାହାର ସେବକ ହୁଏ । କର୍ମ ପ୍ରତ୍ୟକ୍ଷ୍ୟ, ସଦ୍ୟ ଫଳଦାତା । କର୍ମ ମନୁଷ୍ୟକୁ ବଞ୍ଚାଇରଖେ ଏବଂ ବଢ଼ାଏ । କର୍ମ ହିଁ ଜୀବନର ପୃଷ୍ଟିକର ଖାଦ୍ୟ । ଯେ ଆଳସ୍ୟର ଦାସ, ଆଳସ୍ୟ ତାକୁ ଖାଇଦିଏ । କର୍ମରେ ଯେଉଁ ସୁଖ ଏବଂ ଆନନ୍ଦ ଥାଏ ତାହା ସଂସାରରେ ଦୁର୍ଲ୍ଲଭ ।

 

ପାରିଧି କ୍ଷତ୍ରିୟର କେବଳ ବ୍ୟସନ ନୁହେଁ, ତାହା ଗୋଟାଏ କର୍ତ୍ତବ୍ୟ ମଧ୍ୟରେ ପରିଗଣିତ । ଶସ୍ୟନଷ୍ଟକାରୀ ଏବଂ ଜନହନ୍ତା ଦୁଷ୍ଟ ପଶୁମାନଙ୍କୁ ମାରିବା ରାଜ୍ୟରକ୍ଷା ସକାଶେ ଆବଶ୍ୟକ । ରାଜା ମହୋଦୟ ପାରିଧିରେ ସିଦ୍ଧହସ୍ତ । ପିତାମହ ବିଶ୍ୱନାଥ ଦେବଙ୍କର ଶୌର୍ଯ୍ୟ ଏବଂ କ୍ଷାତ୍ରଶକ୍ତି ପୌତ୍ରଙ୍କୁ ଆଶ୍ରୟ କରିଅଛି । ରାଜା ମାହେଶ୍ୱରୀପ୍ରସାଦ ଦେବ ଅନେକ ବାଘ, ଭାଲୁ, ବରାହ ପ୍ରଭୃତି ହିଂସ୍ର ଜନ୍ତୁ ବଧ କରିଅଛନ୍ତି ।

 

ରାଜା ସାହେବଙ୍କର ବେଶ, ଭୁଷା, ବ୍ୟବହାର ଓ କଥୋପକଥନ ଏପରି ନିରାଡ଼ମ୍ବର ସରଳ ଉଦାର ଯେ, ତାକୁ କେହି ନବାଗନ୍ତୁକ ପ୍ରଥମ ଦୃଷ୍ଟିରେ ରାଜପୁରୁଷ ବୋଲି ସହଜରେ ଠଉରାଇପାରିବ ନାହିଁ । ରାଜା ମହୋଦୟ ପ୍ରାୟ ପ୍ରତ୍ୟହ ଖମାରଠାକୁ ଯାଇ ଦୈନିକ କାର୍ଯ୍ୟକ୍ରମରେ ତନ୍ନ ତନ୍ନ ଖବର ନିଅନ୍ତି । ପରଦିନ କି କି କାର୍ଯ୍ୟ କରିବାକୁ ପଡ଼ିବ, ସେଥିର ବରାତ ମଧ୍ୟ କରିଆସନ୍ତି । ଏତଦ୍‌ବ୍ୟତୀତ ଯେଉଁଠାରେ ଯେଉଁ କାର୍ଯ୍ୟ ଚାଲିଥାଏ, ସେଠାକୁ ଯାଇ ସେଥିର ତତ୍ତ୍ୱ ମଧ୍ୟ ନିଅନ୍ତି । ରାଜା ସାହେବ ସାରାଦିନ ସର୍ବଦା କର୍ମତତ୍ପର ଥିବାର ଦେଖାଯାନ୍ତି । ଆଳସ୍ୟ ଭୟରେ ସୁଦ୍ଧା ତାଙ୍କ ପାଖ ପଶିପାରେ ନାହିଁ । ରାଜା ସାହେବଙ୍କର ଆଳସ୍ୟ ବର୍ଜନ ଦେଖି ସ୍ୱତଃ ମନରେ ଭବିତ ହୁଏ-

 

ଆସୁଥିଲେ ପ୍ରଚ୍ଛନ୍ନରେ ଆଳସ୍ୟ ବିଳାସ

ଆକ୍ରମିବେ ବୋଲି ତାଙ୍କୁ; ମାତ୍ର ତାହାଙ୍କର

ଦୃଷ୍ଟିର ପ୍ରଖର ତେଜେ ଅନ୍ଧ ହୋଇ ଦୁଷ୍ଟେ

ପଳାଇଲେ ପଡ଼ି ଉଠି ଅସମ୍ଭାଳ ଭୟେ ।

 

ଦିବା ନିଦ୍ରା ରାଜା ସାହେବଙ୍କ କୋଷ୍ଠୀରେ ନାହିଁ । ଯେ କର୍ତ୍ତବ୍ୟବିମୁଖ, ଆଳସ୍ୟର କ୍ରୀଡ଼ାପୁତ୍ତଳି ସେ ସିନା ଦିବାନିଦ୍ରାକୁ ପରମାତ୍ମୀୟ ଜ୍ଞାନ କରେ, ଅନ୍ୟଥା କର୍ତ୍ତବ୍ୟତତ୍ପର ମନୀଷୀଙ୍କ ନିକଟରେ ସେ ଘୋର ଶତ୍ରୁ । ଏ ସଂସାର କର୍ମକ୍ଷେତ୍ର, କର୍ମ କରିବା ପାଇଁ ମନୁଷ୍ୟ ସଂସାରକୁ ଆସିଛି । ଯେ ସର୍ବଦା କର୍ମରେ ବ୍ୟାପୁତ ଥାଏ ବିଧିକୃପା ତାହା ମସ୍ତକ ଉପରେ ଅଲକ୍ଷ୍ୟରେ ବର୍ଷିତ ହୁଏ । ବାସ୍ତବରେ ଯେ କର୍ମହୀନ ବା କର୍ମବିମୁଖ ସେ ସଂସାରର ମଲାଙ୍ଗ ସଦୃଶ । ରାଜା ସାହେବଙ୍କୁ ସର୍ବଦା କର୍ମତତ୍ପର ଦେଖି ଆପଣାକୁ ଲଜ୍ଜା ବୋଧହୁଏ । ସେଦିନ ଉଆସ ଅଗଣାରେ ନିଜର ବ୍ୟବହାରାର୍ଥେ ଖଇର ପ୍ରସ୍ତୁତ ହେଉଥିବାର ଦେଖି ମୁଁ ଅନିର୍ବତନୀୟ ଆନନ୍ଦ ଅନୁଭବ କଲି-। ଖଇର ଗଛକୁ ଖଣ୍ଡ ଖଣ୍ଡ କରି କାଟି ବଡ଼ ବଡ଼ ମୂର୍ତ୍ତିକା ପାନରେ ସିଦ୍ଧ କରି ଖଇର ପ୍ରସ୍ତୁତ ହେଉଥାଏ । ମୁଁ ଦିବୃକ୍ଷ ସମ୍ବରଣ କରି ନ ପାରି ପ୍ରସ୍ତୁତପ୍ରଣାଳୀ ଦେଖିଲି । ଏ ପ୍ରାକୃତିକ ଉତ୍କଳରେ ସାନ ବଡ଼ ଅନେକ ରାଜା ମହାରାଜା ଅଛନ୍ତି, ସେମାନଙ୍କ ରାଜ୍ୟରେ ଖଇର ଗଛ ଅପର୍ଯ୍ୟାପ୍ତ ପରିମାଣରେ ଅଛି । ସେମାନେ ପ୍ରତିବର୍ଷ ନିଲାମ ଦେଇ ସେଥିରୁ ପ୍ରଚୁର ଆୟ ମଧ୍ୟ କରନ୍ତି; ମାତ୍ର ରାଜପରିବାରର ବ୍ୟବହାର ପାଇଁ ବଜାରରୁ ଖଇର କ୍ରୟ କରାଯାଇଥାଏ । କେହି କେବେ ଖଇର ଆପଣା ତତ୍ତ୍ୱବଧାନରେ ପ୍ରସ୍ତୁତ କରାଇବାର ଶୁଣାଯାଏ ନାହିଁ । ଏ କଥା ଅବଶ୍ୟ ଅନେକଙ୍କୁ ରୁଚିକର ବୋଧ ହୋଇ ନ ପାରେ; ମାତ୍ର ଏହା ନିରୋଳ ଖାଣ୍ଟି ସତ୍ୟ ଯେ, ଆପଣାର ଅଭାବ ଆପେ ପୂରଣ କରିବା ପୌରୁଷର କାର୍ଯ୍ୟ । ତାହା କଦାଚ ହୀନ ଜଘନ୍ୟ ବୃତ୍ତି ନୁହେଁ । ଆଜିକାଲିକାର ଏ ଗଠନମୂଳକ ରାଜୁତିରେ ଯେ ଆପଣାର ଅଭାବ ଆପେ ଆପେ ତୁଲାଇପାରୁଛି ସେ ବାହାଦୂରି ନେଉଛି । ଯେ ଅଭାବ ସହିତ ସଂଗ୍ରାମ କରି ତାହା ପୂର୍ଣ୍ଣ କରି ଯଶଶ୍ରୀମଣ୍ଡିତ ହେଉଛି, ସେ ସୁଖ ଶାନ୍ତିରେ କାଳ କଟାଇପାରୁଛି ।

 

ରାଜା ମହୋଦୟଙ୍କର ଦୁଇ ରାଣୀ ବର୍ତ୍ତମାନ ଉଭୟେ ତାଙ୍କର ଉପଯୁକ୍ତ ସହଧର୍ମିଣୀ । ଦୀନ ଦୁଃଖୀ ପକ୍ଷରେ ସେମାନେ ସାକ୍ଷାତ ଅନ୍ନପୂର୍ଣ୍ଣା ଦେବୀ । ରାଜାଙ୍କର ଏକମାତ୍ର ଆୟୁଷ୍ମତୀ କନ୍ୟା ବିଶାଳ ସୋନପୁର ରାଜ୍ୟର ଯୁବରାଜ୍ଞୀ । ତାଙ୍କର ଗୋଟିଏ କୁମାର ଏବଂ ଦୁଇଗୋଟି ଜେମା । କୁମାରଙ୍କ ବ୍ୟାଘ୍ର ଶିକାର ବିଷୟ ଯଥାସ୍ଥଳରେ ଲିଖିତ ହୋଇଅଛି ।

 

ଲାଞ୍ଜିଗଡ଼ରେ ମୁଁ ପାଞ୍ଚ ଦିନ ମାତ୍ର ଥିଲି । ରାଜା ମହୋଦୟଙ୍କ ସୌଜନ୍ୟ, ଶିଷ୍ଟାଚାର ଏବଂ ସ୍ନେହ ବ୍ୟବହାରରେ ମୁଁ ଯତ୍ପରୋନପ୍ତି ପ୍ରୀତି ହୋଇଅଛି । ରାଜପ୍ରାଣରେ ଦେବଭାବ ମୁଁ ତାଙ୍କରିଠାରେ ସୁଲଭ ଦେଖିଲି । ତାଙ୍କର ସାରଲ୍ୟ ଏବଂ ଋଷିପ୍ରତିମା ଶାନ୍ତ ମୂର୍ତ୍ତି ଦେଖିଲାକ୍ଷଣି ହୃଦୟରେ ସ୍ୱତଃ ଭକ୍ତି ଜାତ ହୁଏ । ପ୍ରଥମାଷ୍ଟମୀ ଦିନ ମୁଁ ରାଜାଙ୍କଠାରୁ ବିଦାୟ ନେଇ ଆସିଲି । ଆମ୍ଭେମାନେ ଅରଣ୍ୟ ପଥରେ ମୋଟର ଯାନରେ ବସି ଅମ୍ସାଦୋଲା ଷ୍ଟେସନକୁ ଆସିଲୁ । ଯେଉଁ ପଥରେ ଲାଞ୍ଜିଗଡ଼ ଯାଇଥିଲି, ଏ ପଥ ତାହାଠାରୁ ଭୀଷଣ । ମୋର ଅନୁଳ ଏବଂ ପୁତ୍ର ଏହି ପଥରେ ରାତିରେ ଲାଞ୍ଜିଗଡ଼ ଯିବାବେଳେ ଯେଉଁଠାରେ ବାଘ ଦେଖିଥିଲେ, ସୋମନାଥ ମୋତେ ସେହି ସ୍ଥାନ ଦେଖାଇଦେଲା । ବାସ୍ତବରେ ତାହା ଶାର୍ଦ୍ଦୁଳରାଜଙ୍କର ଦୁର୍ଭେବ୍ୟ ଦୁର୍ଗର ଉପଯୁକ୍ତ ସ୍ଥାନ-। ରାତି ଗୋଟିକବେଳେ ରେଳରେ ବସି ପରଦିନ ସକାଳ ୮ଟା ବେଳେ ଆସି ବିଜୟ ନଗରରେ ଓହ୍ଲାଇବାକୁ ହେଲା । ସେଠାରେ ଅପରାହ୍ନ ପାଞ୍ଚଟାପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା-। ପାଞ୍ଚଟାବେଳେ ଡାକଗାଡ଼ି ଆସିଲା, ସେହିଥିରେ ଆମ୍ଭେମାନେ ଭଦ୍ରଖ ଆସିଲୁ । ରାତି ଗୋଟାକବେଳେ ରେଳ ଭଦ୍ରଖ ଷ୍ଟେସରେ ପହୁଞ୍ଚିଲା । ଆମ୍ଭେମାନେ ଓହ୍ଲାଇ ଷ୍ଟେସନ ବାହାରକୁ ଆସିଲୁଁ । ସେଦିନ ଉତ୍କଳ ପ୍ରଦେଶର ପ୍ରଥମ ଲାଟ ମହାମତି ସାର ଜନ୍ ହଲାକ୍ ମହୋଦୟ ଭଦ୍ରଖ... କଟକ ଫେରିଯାଇଥିଲେ । ତାଙ୍କର ଭଦ୍ରଖ ଆଗମନରେ ଶୁଭସୂଚକ ସୂନ୍ଦର ତୋରଣା ଷ୍ଟେସନ ପାଖରେ ଦେଖିଲି । ସେଠାରୁ ସୁରଭିନ୍ଦନଯୋଜିତ ପୁଷ୍ପକ ରଥରେ ବସି ରଥଚକ୍ରର ଭୈରବରାଗିଣୀ ଶୁଣି ଶୁଣି ଓ ରଥର ବିକଟ ନୃତ୍ୟ ଉପଭୋଗ କରି କରି ଅଢ଼େଇଟାବେଳେ ଆସି ଆମ୍ଭେମାନେ ଘରେ ପହଞ୍ଚିଲୁ ।

 

***